ବାରିପଦା: ତିନି ଦିନ ଧରି ଶୋଚନୀୟ ହୋଇପଡିଛି ନବନିର୍ମିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ । ବକେୟା ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ମେଡ଼ିକାଲ ପରିସରରେ ପଡି ରହିଛି କୁଢ କୁଢ ଅଳିଆ ଆବର୍ଜନା ।
ରୋଗ ନିବାରଣ ପାଇଁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏପରି ଅସ୍ବାସ୍ଥକର ପରିବେଶକୁ ଦେଖି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ତେବେ ଦରମା ବିବାଦ ନ ତୁଟିବାରୁ ଶୁକ୍ରବାର ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛି ଧାରଣା । ମେଡ଼ିକାଲ କଲେଜରେ ତୁରନ୍ତ ସଫେଇ କାର୍ଯ୍ୟାରମ୍ଭ, ସଫେଇ କର୍ମଚାରୀଙ୍କୁ ଦରମା ସହ ସଫେଇ ପାଇଁ ଟେଣ୍ଡର ନେଇଥିବା ଠିକା ସଂସ୍ଥା ସମେତ ସିକ୍ୟୁରିଟିଙ୍କୁ ବ୍ଲାକ ଲିଷ୍ଟେଡ଼ କରିବା ଦାବିରେ ଏହି ଧାରଣା ଦିଆଯାଇଥିଲା ।
ଧାରଣାସ୍ଥଳରେ ମେଡ଼ିକାଲ କର୍ତ୍ତୃପକ୍ଷ ଓ ପୋଲିସ ପହଞ୍ଚି ବକେୟା ଦରମା ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଛି ଭଞ୍ଜସେନା ସଂଗଠନ। ଅନ୍ୟପଟେ ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀ ମଧ୍ୟ୍ୟ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ