ରାଇରଙ୍ଗପୁର: ରାଜ୍ୟରେ ଶିଶୁକନ୍ୟାଟିଏ ଜନ୍ମ ନେବା ପରେ ତା'କୁ ଅଲୋଡା ଭାବେ ପିତାମାତା ଛାଡି ଚାଲିଯାଇଥିବା ଅନେକ ଘଟଣା ସାମନାକୁ ଆସିଛି । କିନ୍ତୁ ଏଠାରେ ଅଲୋଡା ହୋଇଛି ଶିଶୁପୁତ୍ର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏକଡାଳି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଗ୍ରାମର ଏକ ବୁଦା ମୂଳରୁ ନବଜାତ ଶିଶୁପୁତ୍ରଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଗ୍ରାମର ଅନ୍ୟ ଜଣେ ଶିଶୁ ଦିନ ପ୍ରାୟ ୧୦ଟା ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଶିଶୁଟିର କ୍ରନ୍ଦନ ଶୁଣି ପରିବାର ଲୋକଙ୍କୁ ଖବର ଦେଇଥିଲା । ପରେ ପରିବାର ଲୋକେ ଗାଁ ଲୋକଙ୍କ ସହିତ ଶିଶୁଟିକୁ ବୁଦା ମୂଳରୁ ଉଦ୍ଧାର କରିଥିଲେ । ସେଠାରେ ନବଜାତ ଶିଶୁପୁତ୍ରଟିର ଯତ୍ନ ନେବା ସହିତ ପୋଲିସ ଓ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।
ତେବେ ଆମ୍ବୁଲାନ୍ସ କର୍ମଚାରୀମାନେ ସେଠାରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି ବିଜାତଳା ସ୍ବାସ୍ଥ୍ୟ ଗୋଷ୍ଠୀକେନ୍ଦ୍ରକୁ ଆଣିଥିଲେ । ଶିଶୁପୁତ୍ରଟିକୁ କିଏ ଓ କାହିଁକି ବୁଦା ମୂଳରେ ଛାଡି ଚାଲିଯାଇଥିବା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ସେପଟେ ଅନୈତିକ ସମ୍ପର୍କ ଯୋଗୁଁ ଲୋକଲଜ୍ଜା ଭୟରେ କେହି ଯୁବତୀ ଛୁଆଟିକୁ ଜନ୍ମ ଦେବା ପରେ ବୁଦା ମୂଳରେ ଫିଙ୍ଗି ଦେଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି । ଅନ୍ୟପଟେ ଶିଶୁପୁତ୍ରଟି ମେଡିକାଲରେ ସୁସ୍ଥ ଥିବା ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ