ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ । ଏଥିରେ ଜଣେ ଗୋରୁ ବେପାରୀଙ୍କ ମୃତ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ,ଆଜି(ବୁଧବାର) ସକାଳ ସମୟରେ ପଶ୍ଚିମବଙ୍ଗ ଜମ୍ବାଲିର ଜାମସୁଦ ଅଲ୍ଲୀ ନାମକ ଜଣେ ଗୋରୁ ବେପାରୀ ଗୋରୁ କିଣିବା ପାଇଁ ହାଟବାଦଡା ସାପ୍ତାହିକ ହାଟକୁ ଆସିଥିଲେ । ତେବେ ଦୁଇଟି ବାଇକରେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରି ୨୦ ଲକ୍ଷ ଟଙ୍କା ଲୁଟ କରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା ।
ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଛାତିରେ ଚାରି ରାଉଣ୍ଡ ଗୁଳି ବାଜିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଗୁଳିକାଣ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ଏହାବି ପଢନ୍ତୁ: ଗୋ ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଗୁଳିମାଡ଼ ଘଟଣା, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି
ତେବେ ଗତ ଶନିବାର ଦିନ ଯଶିପୁରରେ ଗୋ-ମାଫିଆଙ୍କ ଗୁଳି ମାଡ଼ରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ରାଇରଙ୍ଗପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟଣା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ