ରାଇରଙ୍ଗପୁର: ଏଟିଏମ୍ ସଟର କାଟି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଟଙ୍କା ଲୁଟୁବା ପୂର୍ବରୁ ତିନି ଜଣ ବ୍ୟକ୍ତିଙ୍କୁ ବନ୍ଧୁକା ଦେଖାଇ ଭୟଭିତ କଲେ ଚାରି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ମୋରୋଣ୍ଡା ଗ୍ରାମରେ । ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତମାନେ ଫେରାର ଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଅଜଣା ଦୁର୍ବୃତ୍ତ ଏଟିଏମ୍ ଲୁଟ କରିବା ଉଦ୍ଦେଶ୍ୟରେ ମୋରୋଣ୍ଡା ଗାଁ କୁ ଆସିଥିଲେ । ତେବେ ଏଟିଏମ୍ ଗୃହରେ ସଟର ପଡ଼ିଥିଲା ବେଳେ ପାଖ ଘରେ ଦୁଇ ତିନି ଜଣ ବ୍ୟକ୍ତି ଶୋଇଥିବା ଦେଖିବାକୁ ପାଇଥିଲେ ଦୁର୍ବୃତ୍ତ । ଏହାପରେ ସେମାନଙ୍କୁ ନିସ୍ତୁତ ମାଡ଼ମାରି ବନ୍ଧୁକ ମୁନରେ କାବୁ କରି ନେଇଥିଲେ । ପରେ ଏଟିଏମ୍ ଗୃହର ସଟରକୁ କଟର୍ ସାହାଯ୍ୟରେ କାଟି ମେସିନ ଭାଙ୍ଗି ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ ।
ଏହା ମଧ୍ୟ ପଢନ୍ତୁ-ମଞ୍ଜଥରା ଜାଡ, କଅଁଳ ଖରା ତାତି ଖୋଜୁଛନ୍ତି କଳାହାଣ୍ଡିବାସୀ
ତେବେ ଚମ୍ପଟ ମାରିବା ସମୟରେ ଗୋଟିଏ ବାଇକ ମଧ୍ୟ ସେଠାରୁ ନେଇ ଯାଇଥିବା ସୂଚନା ମିଳିଛି । ଏନେଇ ଆଜି ସକାଳୁ ଖବର ପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ସେପଟେ ଅଧିକ ତଦନ୍ତ ପାଇଁ ବାରିପଦରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଡକାଇଛନ୍ତି । ସମସ୍ତ ଦିଗରୁ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଛାନଭିନ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତ ମାନଙ୍କୁ ଚିହ୍ନଟ କରିବାର ପ୍ରୟାସ ଜାରି ରଖିଛନ୍ତି। ତେବେ କେତେ ଟଙ୍କା ଦୁର୍ବୃତ୍ତ ମାନେ ଏଟିଏମ ମେସିନରୁ ନେଇଛନ୍ତି ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।
ଇଟିଭି ଭାରତ, ରାଇରଙ୍ଗପୁର