ବାରିପଦା: ୮ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ଅଭିଯୁକ୍ତ ଶୁକୁରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନାନୁସାରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖୋରିଆ ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ଜଣେ ୮ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ହୋଇଥିଲା ।
ଏହି ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ସୁମିତ୍ରା ଜେନା ଶନିବାର ଅଭିଯୁକ୍ତ ଚାଉଳଘେରି ଗ୍ରାମର ଶୁକୁରା ସିଂ (୪୦)କୁ ଦୋଷୀ ସାବ୍ୟସ୍ତ କରିବାସହ ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ଆସାମୀକୁ ପୋକ୍ସ ଆଇନ ଧାରା-୬ରେ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ୩ ମାସ ଅଧିକ ଜେଲଦଣ୍ଡ ହେବ ବୋଲି ଶୁଣାଇଛନ୍ତି ।
ଏହାସହିତ ପୋସ୍କୋ ଆଇନର ଧାରା-୪ ଅନୁଯାୟୀ ଆସାମୀକୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୩ହଜାର ଟଙ୍କା ଜୋରିମାନାର ଦଣ୍ଡ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆହୁରି ୧ ମାସ ଅଧିକ କାରାଦଣ୍ଡ ହେବ । ଆସାମୀ ଗତ ୧.୦୭.୨୦୧୫ ରିଖ ଠାରୁ ବାରିପଦା ସର୍କଲ ଜେଲରେ ବିଚାର ବିଭାଗୀୟ କଏଦୀ ଭାବେ ରହିଆସୁଛି ।
ଘଟଣା ଅନୁଯାୟୀ, ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ୮ ବର୍ଷର ନାବାଳିକା ଝିଅ ଘରେ ଥିବା ବେଳେ, ଅଭିଯୁକ୍ତ ତାକୁ ଜୋର ଜବରଦସ୍ତ ବନ୍ଧ ଆଡକୁ ନେଇଯାଇ ବଳପୂର୍ବକ ମଦ ପିଆଇବା ସହିତ ନିଜେ ମଧ୍ୟ ମଦ୍ୟପାନ କରି ଦୁଷ୍କର୍ମ କରିଥିଲା । ସେହି ସମୟରେ ଜଣେ ବ୍ୟକ୍ତି ସେଠାରେ ପହଁଞ୍ଚି ଯିବାରୁ ଅଭିଯୁକ୍ତ ନାବାଳିକାକୁ କ୍ଷତାକ୍ତ ଅବସ୍ଥାରେ ଛାଡି ପଳାଇଯାଇଥିଲା । ଉକ୍ତ ବ୍ୟକ୍ତି ଜଣକ ନାବାଳିକାର ଘର ଲୋକଙ୍କୁ ଖବର ଦେବା ପରେ ଝିଅକୁ ଉଦ୍ଧାର କରି ଘର ଲୋକେ ଚିକିତ୍ସା କରାଇବା ସହିତ ଥାନାରେ ଏତଲା ଦେଇଥିଲେ ।
ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାରେ କୋର୍ଟ ୧୬ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଉକ୍ତ ମାମଲାକୁ ସରକାରୀ ଓକିଲ ଅଭିନ୍ନ ପଟ୍ଟନାୟକ ପରିଚାଳନା କରୁଥିଲେ ।
ଇଟିଭି ଭାରତ, ମୟୂରଭଞ୍ଜ