ବାରିପଦା: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କେଳେଙ୍କାରୀ ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଏହାକୁ ନେଇ ବୁଧବାର ମୟୂରଭଞ୍ଜ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାରିପଦା ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ବ୍ୟକ୍ତିଗତ ସହାୟକଙ୍କ ଘରେ ଭିଜିଲାନ୍ସ ଚଢା଼ଉ କରିଥିଲା । ଚଢ଼ାଉ ସମୟରେ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟିକୋଟି ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଥିଲା ଭିଜିଲାନ୍ସ ।
ଏହାପରେ ବ୍ୟକ୍ତିଗତ ସହାୟକ ବିରଞ୍ଚି ସାହୁଙ୍କ ଗଚ୍ଛିତ କଳାଟଙ୍କାର ସାମ୍ରାଜ୍ୟ ଉଜାଗର ହୋଇଥିଲା । ଏଥିରେ ଆହୁରି ଅନେକ କର୍ମଚାରୀ ଓ ଅଧିକାରୀ ସଂପୃକ୍ତି ଥିବା ଅଭଯୋଗ କରିଛି ବିଜେପି । ଏହି ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ଆଜି(ବୁଧବାର) ବାରିପଦାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ମଧ୍ୟ ଦାହ କରିଛନ୍ତି କର୍ମୀ ।
ସେପଟେ ଏହି ଘଟଣାକୁ ନେଇ OSSC ବ୍ୟକ୍ତିଗତ ସହାୟକ ବିରଞ୍ଚି ସାହୁଙ୍କୁ ୪ ଦିନିିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ବିଭାଗ । ଏହି ମାମଲାରେ ଆହୁରି ଅଧିକ ଲୋକଙ୍କ ନାମ ପଦାକୁ ଆସିବ ବୋଲି ସନ୍ଦେହ କରାଯାଉଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ