ରାଇରଙ୍ଗପୁର: ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ମିଳୁନାହିଁ କୌଣସି ସୁବିଧା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ବାଦାମପାହାଡସ୍ଥିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରୁ ଏଭଳି ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକ ରାଜ୍ୟରୁ ୯ ଜଣ ପ୍ରବାସୀ ଶ୍ରମିକ ନିଜ ଖର୍ଚ୍ଚରେ ଏକ ବସ ଯୋଗେ ବାଦାମପାହାଡ ପହଞ୍ଚି ଥିଲେ। ଏହାପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବାଦାମପାହାଡସ୍ଥିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲା । କିନ୍ତୁ ସେଠାରେ ପରିଷ୍କାର ପରିଚ୍ଛନ୍ନତା ନଥିବା ସହିତ ସଠିକ ସମୟରେ ଖାଦ୍ୟ ଯୋଗାଉ ନଥିବା ପ୍ରବାସୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେପଟେ ବାଲଟି, ମଗ, ସାନିଟାଇଜର, ସାବୁନ, କଲଗେଟ ଆଦି ସାଧାରଣ ଆସବାବପତ୍ର ମଧ୍ୟ ସେମାନଙ୍କୁ ମିଳୁନାହିଁ । ଶୌଚାଳୟ ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ। ଗୋଟିଏ ଶୌଚାଳୟକୁ ଉଭୟ ପୁରୁଷ ଓ ମହିଳା ବ୍ୟବହାର କରୁଛନ୍ତି ।
୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ସାତ ଆଠ ଦିନ ପରେ ଘରକୁ ଛାଡି ଦେଉଥିବା ଅଭିଯୋଗ ହୋଇଛି। ରାଜ୍ୟକୁ ସମ୍ପୂର୍ଣ୍ଣ କୋରୋନା ମୁକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ଏସବୁ ପ୍ରତି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ସଙ୍ଗରୋଧ କେନ୍ଦ୍ର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ ଜଣେଇବାରୁ ବ୍ୟକ୍ତି ଜଣକ ଉପରିସ୍ଥ ଅଧିକାରୀଙ୍କୁ କହିବାକୁ ପ୍ରବାସୀଙ୍କୁ କହିଥିଲେ। ସେପଟେ ସଙ୍ଗରୋଧ କେନ୍ଦ୍ରରେ ଉତ୍ତେଜନା ଦେଖାଦେବା ପରେ କୁସୁମୀ ବ୍ଲକର ବିଡିଓ ଓ ବାଦାମପାହାଡ ଥାନା ଅଧିକାରୀ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ