ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସମୟରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳୁଛି । ତେବେ ଆଜି ଜିଲ୍ଲାର ଯଶୀପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟର ଫାଟକରେ ଲାଗିଛି ମାଓ ପୋଷ୍ଟର । ଯଶୀପୁର ଥାନା ଅନ୍ତର୍ଗତ ଝାଡ଼ବେଡା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ମାଓବାଦୀ ପୋଷ୍ଟର । ସ୍କୁଲର ମୁଖ୍ୟ ଫାଟକରେ ୪ଟି ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମାଓବାଦୀ ପୋଷ୍ଟରରେ ନିଉତି ଗ୍ରାମ ପଞ୍ଚାୟତ ଅଧିନ ସମସ୍ତ ଗାଁର ସମସ୍ୟା ଦୂର କରିବା ପାଇଁ ସରକାରଙ୍କୁ ଦାବି କରାଯାଇ ଲେଖାଯାଇଛି । ଏହାସହ ସରପଞ୍ଚଙ୍କୁ ଠିକାଦାରୀ କାମ ଛାଡ଼ି ଜନସେବା କରିବାକୁ ଚେତାବନୀ ଦେଇଛନ୍ତି ମାଓବାଦୀ । ସବୁଠାରୁ ବଡ଼କଥା ହେଉଛି, ଯେଉଁମାନେ ନିଜ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଛନ୍ତି, ସେମାନଙ୍କୁ ହତ୍ୟା କରାଯିବ ବୋଲି ସିଧା ସଳଖ ଧମକ ଦେଇଛନ୍ତି ମାଓବାଦୀ ।
ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଝାଡ଼ବେଡା ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ୪ଟି ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି । ପ୍ରଥମ ପୋଷ୍ଟରରେ ନିଉତି ଗ୍ରାମପଞ୍ଚାୟତର ସବୁ ମୌଳିକ ଅସୁବିଧା ଦୂର କରିବାକୁ ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ଏହା ନହେଲେ ସେହି କାମ ମାଓବାଦୀ ମାନେ କରିବେ ବୋଲି ଧମକ ଦିଆଯାଇଛି । ସେହିଭଳି ଅନ୍ୟ ଏକ ପୋଷ୍ଟରରେ ଲେଖା ଅଛି, 'ସରପଞ୍ଚ ଠିକାଦାରୀ କାମ ଛାଡ଼ି ଜନସେବାରେ ଲାଗି ପଡ଼ନ୍ତୁ । ଏଥିଲାଗି ତାଙ୍କୁ ମାସେ ସମୟ ଦିଆଗଲା ।' ପିଏସ୍ ବାବୁଙ୍କୁ ମଧ୍ୟ ସୁଧୁରି ଯିବାପାଇଁ ସମୟ ଦିଆଯାଇଛି, ନସୁଧୁରିଲେ ଦଣ୍ଡବିଧାନ କରାଯିବା ନେଇ ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି । ସେହିଭଳି ଯେଉଁମାନେ ନିଜ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରୁଛନ୍ତି, ସେମାନଙ୍କୁ ହତ୍ୟା କରାଯିବ ବୋଲି ପୋଷ୍ଟରରେ ଧମକ ଦେଇଛନ୍ତି ମାଓବାଦୀ ।
ତେବେ ବିଦ୍ୟାଳୟରେ ଲାଗିଥିବା ଏହି ପୋଷ୍ଟର ଗୁଡ଼ିକ ଦେଖି ସ୍ଥାନୀୟ ଲୋକେ ଯଶୀପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯଶୀପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଉକ୍ତ ପୋଷ୍ଟର ଗୁଡ଼ିକୁ ଜବତ କରିଛି । ତେବେ ଉକ୍ତ ପୋଷ୍ଟର ଗୁଡିକ ପ୍ରକୃତରେ ମାଓ ପୋଷ୍ଟର କି ନୁହେଁ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗଇ ସୂଚନା ଦେଇଛନ୍ତି । ସେପଟେ ସ୍କୁଲରେ ମାଓବାଦୀ ପୋଷ୍ଟର ଲାଗିଥିବା ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ମୟୂରଭଞ୍ଜ