ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ସମ୍ପର୍କରେ ପୁଣି ଲାଗିଲା କଳଙ୍କ । ଜନୈକ ଆଠ ବର୍ଷର ଝିଆରୀକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବହଳଦା ଥାନା ଅଞ୍ଚଳରେ ଘଟିଛି ଏପରି ଏକ ଲଜ୍ଜାଜନକ ଘଟଣା । ତେବେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ଦାଦା ମୁସ୍ତାକିମକୁ ଗିରଫ କରିଛି ବହଳଦା ଥାନା ପୋଲିସ ।
ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ବହଳଦା ଥାନା ଅଧୀନସ୍ଥ ଏକ ଗାଁରେ ଜଣେ ୮ ବର୍ଷର ଝିଅ ଘରେ ଥିବାବେଳେ ସମ୍ପର୍କୀୟ ଦାଦା ଜଣକ ତାକୁ ନଦୀ ଗାଧୋଇ ନେଇ ଯିବାକୁ କହି ଡାକିଥିଲେ । ତେବେ ସମ୍ପର୍କୀୟ ଦାଦା ଜଣକ ନଦୀ ଆଡ଼େ ନେଇ ନାବାଳିକା ଝିଆରୀ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରେ କାହାକୁ କିଛି ନ କହିବା ପାଇଁ ଡରାଇ ଧମକାଇ ଘରେ ଛାଡ଼ି ଦେଇଥିଲା ସମ୍ପର୍କୀୟ ଦାଦା । ନାବାଳିକା ଜଣକ ଘରେ କାନ୍ଦିକାନ୍ଦି ମା'କୁ ଏ ବିଷୟରେ କହିବା ପରେ ନାବାଳିକାର ପରିବାର ବହଳଦା ଥାନା ଲିଖିତ ଅଭିଯୋଗ କରିଥିଲେ ।
ଏହା ବି ପଢନ୍ତୁ-ମହିଳାଙ୍କୁ ଯୌନ ନିର୍ଯାତନା, ମହିଳା SI ଗିରଫ
ଅଭିଯୋଗ ପାଇବା ପରେ ବହଳଦା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ମୁସ୍ତାକିମକୁ ଗିରଫ କରିଛି । ପରେ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପାଇଁ ରାଇରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ଗିରଫ ଅଭିଯୁକ୍ତ ଦାଦାକୁ ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଅନ୍ୟ ଏକ ଘଟଣାରେ ଜନୈକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଛନ୍ତି ଯାମଦା ଥାନା ଅଞ୍ଚଳର ଜଣେ ଯୁବକ ।
ଜିଲ୍ଲାର ବିଶୋଇ ଥାନା ଅଞ୍ଚଳର ଜନୈକ ନାବାଳିକା ଯାମଦା ଥାନା ଅଧୀନସ୍ଥ ନିଜ ପିଉସୀ ଘରକୁ ବୁଲିବାକୁ ଯାଇଥିବା ବେଳେ ଯାମଦା ଥାନା ଅନ୍ତର୍ଗତ କାନଖା ଗ୍ରାମର ସାଲଖାନ ମୁର୍ମୁ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ନାବାଳିକାର ସମ୍ପର୍କୀୟ ଲୋକେ ଏହା ଜାଣିପାରି ଯାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ନାବାଳିକା ଜଣକୁ ତାଙ୍କ ସମ୍ପର୍କୀୟମାନେ ବିଶୋଇ ସ୍ଥିତ ତାଙ୍କ ଘରେ ଛାଡ଼ି ଦେଇ ଆସିଥିଲେ।
ହେଲେ ପୁଣି ସାଲଖାନ ଉକ୍ତ ନାବାଳିକାକୁ ଉଠାଇ ଆଣି ଯାମଦା ଅଞ୍ଚଳକୁ ନେଇ ଆସିଥିଲେ । ଏନେଇ ନାବାଳିକାର ପରିବାର ଲୋକେ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିଶୋଇ ଥାନା ପୋଲିସ ଯାମଦା ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିବା ସହ ସାଲଖାନ ମୁର୍ମୁକୁ ଗିରଫ କରିଛି । ତେବେ ସାଲଖାନର ଡାକ୍ତରୀ ପରୀକ୍ଷା ପରେ ତାକୁ ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, ମୟୂରଭଞ୍ଜ