ମୟୁରଭଞ୍ଜ: ଆଜି ଦୁର୍ଗତିନାଶିନୀ ମା' ଦୂର୍ଗାଙ୍କ ମହାଷ୍ଟମୀ ପୂଜା । ସାରାଦେଶରେ ମା' ଦୂର୍ଗାଙ୍କ ପୂଜା ପାଳନ ହେଉଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ବେଶ ଧୁମଧାମରେ ପାଳିତ ହୋଇଛି ମା' ଦୂର୍ଗାଙ୍କ ମହାଷ୍ଟମୀ ପୂଜା । ଜିଲ୍ଲାର ମୋରଡ଼ା ବ୍ଲକ ଚିତ୍ରଡା ଠାରେ ଏବର୍ଷ ଧଉଳିର ଶାନ୍ତିସ୍ତୁପ ତୋରଣ ଶ୍ରଦ୍ଧାଳୁଙ୍କ ମନମୋହୁଛି ।
ମୟୁରଭଞ୍ଜ ସଦର ମହକୁମା ବାରିପଦା ସହରରେ 26ଟି ସ୍ଥାନରେ ଦୂର୍ଗାପୂଜା ହେଉଥିବା ବେଳେ ଜିଲ୍ଲାର କରଞ୍ଜିଆ, ରାଇରଙ୍ଗପୁର, ଉଦଳା ଉପଖଣ୍ଡ ସହ ଜିଲ୍ଲାରେ ମୋଟ 178ଟି ସ୍ଥାନରେ ଦେବୀଙ୍କ ମହାଷ୍ଟମୀ ପୂଜା ପାଳିତ ହୋଇଛି । ଏହି ପାର୍ବଣ ଋତୁରେ ଧରାଧାମରେ ବିଜେ କରିଛନ୍ତି ମା ଦଶଭୁଜା । ମାଆଙ୍କର ଆର୍ଶୀବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଲଗାଇଛନ୍ତି ।
ଧରାପୃଷ୍ଠରେ ଅବତରଣ କରିଥିବା କରୁଣାମୟୀ ମାଆଙ୍କୁ ସହରର ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତାମାନେ ସୁନା, ରୁପା, ଚାନ୍ଦିରେ ସଜେଇଛନ୍ତି । ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ବାରିପଦା ସହରର ତୁଳସୀ ଚଉରା ଦୂର୍ଗା ମଣ୍ଡପରେ ହୋଇଥିବା ପଶ୍ଚିମବଙ୍ଗ ମାୟାପୁରର ଇସ୍କନ ମନ୍ଦିର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ସହରରେ ପାଲବଣି, ମଧୁବନ, ଲାଲବଜାର, ମୁର୍ଗାବାଡି ସହ ଅନ୍ୟାନ୍ୟ ମଣ୍ଡପରେ ମଧ୍ୟ ସୁନ୍ଦର ତୋରଣ ଲୋକଙ୍କୁ ଆକର୍ଷଣ କରୁଛି । ତେବେ କେବଳ ସହର ନୁହେଁ ଗାଁ ଗୁଡିକରେ ମଧ୍ୟ ବ୍ୟୟବହୁଳ ପୂଜା ଦେଖିବାକୁ ମିଳିଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ