ବାରିପଦା: ଘରେ ପଶି ଜଣେ ମହିଳା ଓ ନାବାଳକ ପୁଅକୁ ବାନ୍ଧି ବନ୍ଧୁକ ମୁନରେ ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଉଦଳା ଏନଏସି 12 ନମ୍ବର ୱର୍ଡରେ । ଉଦଳା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସପନ କୁମାର ମହାନ୍ତି ଘରେ ନଥିବା ସମୟରେ ବୁଧବାର ରାତିରେ 5 ଜଣ ଦୁର୍ବୃତ୍ତ ତାଙ୍କର ସମସ୍ତ ସୁନା ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି ।
ପ୍ରଥମେ ଦୁର୍ବୁତ୍ତ ମାନେ ଘରର କଲିଂବେଲ ମାରିବା ପରେ ତାଙ୍କର ସ୍ତ୍ରୀ ଗୀତାଞ୍ଜଳି ମହାନ୍ତି କବାଟ ଖୋଲିଥିଲେ । କଣ ପାଇଁ ଆସିଛନ୍ତି ପଚାରିବାରୁ ସାରଙ୍କ ପାଖରେ କାମ ଅଛି ବୋଲି କହିଘରେ ପଶିଥିଲେ । ଏହାପରେ ଦୁର୍ବୁତ୍ତ ମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଓ ସୁନାଗହଣା ମାଗିଥିଲେ । ଗୀତାଞ୍ଜଳି ଏହାକୁ ବିରୋଧ କରିବାରୁ ତାଙ୍କୁ ଓ ତାଙ୍କର ପୁଅକୁ ବାନ୍ଧି ଦେଇଥିଲେ । ଏହାପରେ ଗଡରେଜରୁ 8 ହଜାର ଟଙ୍କା, ଏକ ମୋବାଇଲ ଓ ଗୀତାଞ୍ଜଳି ପିନ୍ଧିଥିବା ଏକ ସୁନା ଚେନକୁ ଲୁଟି ନେଇ ଥିଲେ ପ୍ରାୟ 20 ମିନିଟରୁ ଅଧିକ ସମୟ ଘରେପଶି ଲୁଟପାଟ କରିଥିଲେ ମଧ୍ୟ ପାଖ ପଡୋଶୀ କିଛି ସୁରାକ ପାଇନଥିଲେ ।
ତେବେ ଦୁର୍ବୁତ୍ତ ମାନେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ଗୀତାଞ୍ଜଳି ସେମାନଙ୍କୁ ଜାଣିପାରିନଥିଲେ । ଘଟଣାର ଖବରପାଇ ପୋଲିସ ତଦନ୍ତ ଜାରିରଖିଛି । ତେବେ କିଛିଦିନ ପୂର୍ବରୁ ଉଦଳାରେ ଏଟିଏମ ଲୁଟ, ରାହାଜାନୀ ଓ 6 ମାସ ଭିତରେ 15ଟି ମୋଟର ସାଇକେଲ ଚୋରି ହୋଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ