ରାଇରଙ୍ଗପୁର: ମହାମାରୀ କୋରୋନାର ଭୟାବହତାରେ ମଣିଷକୁ ମିଳୁନି ମୃତ୍ୟୁପରେ ଶେଷ ସମ୍ମାନ । ଦେଶର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଅଭାବନୀୟ ଦୃଶ୍ୟ । କେଉଁଠି ମୃତଦେହକୁ ଶ୍ମଶାନ ମିଳୁନି ତ କେଉଁଠି ନଦୀରେ ନଦୀରୁ ମିଳୁଛି ମୃତଦେହ । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ବିଚଳିତ କରିଦେବା ଭଳି ଖବର ।
ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସୁନାରିପୋଷି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ କୋରୋନା ଆକ୍ରାନ୍ତ ବୃଦ୍ଧାଙ୍କ ମୃତଦେହକୁ ଦାହ କରିବାକୁ ଯାଇଥିବା ସ୍ଥାନୀୟ ବିଡ଼ିଓ, ତହସିଲଦାର ଓ ଚିକିତ୍ସା ଅଧିକାରୀଙ୍କୁ ସେଠାକାର ସ୍ଥାନୀୟ ଲୋକେ ଘେରାଉ କରିବା ଓ ମୃତଦେହ ସଂସ୍କାର କରିବାକୁ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି ।
କୋଭିଡର ଆକ୍ରାନ୍ତଙ୍କ ମୃତଦେହ ଦାହ କରିବାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଠେଙ୍ଗା, ବାଡ଼ି ଧରି ଅଧିକାରୀଙ୍କୁ ଘେରିଛନ୍ତି ଲୋକେ ।
ଘଟଣା କିଛି ଏହିପରି, ମଙ୍ଗଳବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସି ହାଣ୍ଡିଫୁଟା ଗ୍ରାମର ଜଣେ ବୃଦ୍ଧା ପରୀକ୍ଷା ପରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାର କିଛି ସମୟ ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ମୃତ୍ୟୁ ଘଟିଥିଲା । କୋରୋନାରେ ଆକ୍ରାନ୍ତ ବୃଦ୍ଧାଙ୍କ ମୃତଦେହ ପୋଡ଼ିବାକୁ ପ୍ରଶାସନ ପକ୍ଷରୁ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାରିପୋଷି ନିକଟରେ ଥିବା ଜଙ୍ଗଲ ନିକଟକୁ ନିଆ ଯାଇଥିଲା । ସ୍ଥାନୀୟ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ, ତହସିଲଦାର ଜୟକୃଷ୍ଣ ପାତ୍ର, ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦିବାକର ମାଝୀ, ଠାକୁରମୁଣ୍ଡା ଥାନା ପୋଲିସ ଦିନ ପ୍ରାୟ ୪.୩୦ ମିନିଟ ସମୟରେ ମୃତଦେହ ଦାହ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଠେଙ୍ଗା ବାଡି ଧରି ବାଧା ଦେଇଥିଲେ । ସେଠାରେ ମୃତଦେହ ଦାହ କରିବାକୁ ଦିଆଯିବନାହିଁ ବୋଲି ଜିଦ ଧରିଥିଲେ ଓ ଅଧିକାରୀଙ୍କୁ ଘେରାଉ କରି ରଖିଥିଲେ । ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ