ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ପଣ୍ଡିତ ରଘୁନାଥ ମୁର୍ମୁ ଛକ ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସାନ୍ତାଳି ଭାଷା ତଥା ଅଲଚିକି ବିରୋଧୀ କାର୍ଯ୍ୟକଳାପକୁ ନେଇ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ କୁଶପୁତ୍ତଳିକା ଦାହ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ପୂର୍ବରୁ ଝାଡଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ, ରେଳଷ୍ଟେସନ, ରାଜଭବନର ନାମଫଳକ ସାନ୍ତାଳି ଭାଷା ଓ ଅଲଚିକି ଲିପିରେ ବ୍ୟବହାର କରାଯାଉଥିଲା । ହେଲେ ଅଭିଯୋଗ କ୍ରମେ ଏବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଶାସନକୁ ଆସିବା ପରେ ରୋମାନ ଲିପି ବ୍ୟବହାର କରିବାକୁ ଷଡଯନ୍ତ୍ର କରାଯାଉଛି । ଯାହାକୁ ଦୃଢ ବିରୋଧ କରୁଛି ଓଡିଶା ଆଦିବାସୀ ସେଙ୍ଗେଲ ଅଭିଯାନ ।
ବିରୋଧ ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜେଏମଏମ ସୁପ୍ରିମୋ ଶିବୁ ସୋରେନ, ସାଂସଦ ବିଜୟ ହାଁସଦା, ନଳୀନ ସୋରେନ, ଦିନେଶ ଉଇଲିୟମ ମାରାଣ୍ଡି ଓ ବସନ୍ତ ସୋରେନଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ସେମାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ବିରୋଧ ପ୍ରଦର୍ଶନୀରେ ଆଦିବାସୀ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁ, ସୁମିତ୍ରା ମୁର୍ମୁ, ନରେନ୍ଦ୍ର ହେମ୍ବ୍ରମ, ବୁଢ଼ାନ ମାରାଣ୍ଡି, କାଳୁରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ