ରାଇରଙ୍ଗପୁର: ସଇତାନ ସାଜିଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ଫିଙ୍ଗି ଦେଲା ଜଙ୍ଗଲରେ । ଦିନେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି କରିବ ବୋଲି ହାତ ଧରିଥିଲା । ହେଲେ ଆଜି ଅନ୍ୟ ଏକ ଝିଅ ପ୍ରେମରେ ପଡି ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛେଇଲାନି ନୃଶଂସ ସ୍ବାମୀ । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ ।
ସୂଚନା ଅନୁଯାୟୀ, ବିଶିପୁର ଗ୍ରାମର ମଧୁସୂଦନ ମହାନ୍ତ ଗତ ୮-୯ ବର୍ଷ ପୂର୍ବରୁ ନିରୂପମା ମହାନ୍ତ ନାମକ ଏକ ଝିଅକୁ ପ୍ରେମବିବାହ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଲେଖା ହୋଇଥିଲା । ସାତ ଜନ୍ମ ପାଇଁ ଯିଏ ହାତ ଧରି ପ୍ରେମବିବାହ କରିଥିଲା, ଆଜି ସିଏ ଅନ୍ୟ ଏକ ଝିଅର ପ୍ରେମରେ ପଡ଼ି ନିଜ ସ୍ତ୍ରୀକୁ ହତ୍ୟା କରି ଫିଙ୍ଗି ଦେଇଥିଲା । ତେବେ ଏହି ହତ୍ୟା ଘଟଣାକୁ ନିରୂପମାର ବାପଘର ଲୋକେ ଗତ ୧୮ତାରିଖରେ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି ।
ଘଟଣାରେ ପ୍ରକାଶ ଯେ, ଗତ ୧୬ ତାରିଖ ଦିନ ନିରୂପମା ମହାନ୍ତ ପାଟବିଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ତେବେ ସେ ଘରକୁ ଫେରିବା ପରେ ନିଜେ ରହୁଥିବା ଘରର ଚାବି ମାଗିବା ପରେ କୌଣସି କାରଣରୁ ଶ୍ବଶୁର ଘର ଲୋକଙ୍କ ସହିତ ଝଗଡା ହୋଇଥିଲା। ତେବେ ଏହି ଘଟଣା ପରେ ହଠାତ୍ ନିରୂପମା ମହାନ୍ତ ଗ୍ରାମରୁ ନିଖୋଜ ହୋଇ ଯାଇଥିଲେ। ହେଲେ ଏହି ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରି ନଥିଲେ । ଏନେଇ ଗ୍ରାମବାସୀ ନିରୂପମାର ବାପଘର ଲୋକଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ। ପରେ ଗତ ୧୮ ତାରିଖରେ ବାପଘର ଲୋକେ କରଞ୍ଜିଆ ଥାନାରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ଆଧାରରେ କରଞ୍ଜିଆ ଥାନା ପୋଲିସ ନିରୂପମାଙ୍କ ସ୍ୱାମୀ ମଧୁସୂଦନ ମହାନ୍ତ ଏବଂ ତାଙ୍କ ଶ୍ବଶୁରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ବଶୁର ଘରକୁ ବାହାଘରରେ ଆସି ସ୍ତ୍ରୀର ବେକ କାଟିଦେଲା ସ୍ବାମୀ, ଥାନାରେ ଆତ୍ମସମର୍ପଣ
ତେବେ ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା ଯେ, ସ୍ୱାମୀ ମଧୂସୁଦନ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଏକ ବସ୍ତାରେ ବାନ୍ଧି ନିକଟସ୍ଥ କେନ୍ଦୁମଣ୍ଡି ଗାଁର ଧୁଡିବାଡ଼ି ଜଙ୍ଗଲରେ ନେଇ ଫିଙ୍ଗି ଦେଇଥିଲା । ଏହାପରେ ପୋଲିସ ଘଟଣାସ୍ଥଳକୁ ଯାଇ ନିରୂପମାଙ୍କ ମୃତଦେହକୁ ଠାବ କରିଥିଲା । ସ୍ତ୍ରୀ ନିରୂପମାକୁ ହତ୍ୟା କରିବା ପରେ ଏକ ଅଖାରେ ପୁରାଇ ଜଙ୍ଗଲ ମଝିରେ ଫିଙ୍ଗିଦେବା ଘଟଣାକୁ ସ୍ବୀକାର କରିଛି ଅଭିଯୁକ୍ତ ସ୍ବାମୀ । ତେବେ ଅନ୍ୟ ଜଣେ ଝିଅକୁ ଭଲ ପାଇ ତାକୁ ନିଜ ସ୍ତ୍ରୀ କରି ରଖିଥିବା ବେଳେ ନିରୂପମା ପ୍ରତିବନ୍ଧକ ସାଜୁ ଥିଲାକି ? ନା ଆଉ କିଛି ଅନ୍ୟ କାରଣ ରହିଛି ? ଏପରି ବହୁ ପ୍ରଶ୍ନ ସୃଷ୍ଟି ହେଉଥିବା ବେଳେ ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ଘଟଣାସ୍ଥଳରେ ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଅଧିକ ତଦନ୍ତ କରୁଥିବା ବେଳେ ହତ୍ୟାର କାରଣ ଖୋଜିବାରେ ଲାଗିଛି କରଞ୍ଜିଆ ଥାନା ପୋଲିସ ।
ଇଟିଭି ଭାରତ, ରାଇରଙ୍ଗପୁର