ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବନ ବିଭାଗର ଚଢାଉ । ପାଞ୍ଚ ବନ୍ୟପ୍ରାଣୀ ତସ୍କରଙ୍କୁ ଗିରଫ କଲା ବନ ବିଭାଗ । ବାରିପଦା-ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପ ନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ ମିଳିତ ଚଢ଼ାଉରେ ଶିକାରୀଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଶିମିଳିପାଳ ଅଭୟାରଣ୍ୟରେ ଶିକାର କରନ୍ତି । ଗିରିଫ ଅଭିଯୁକ୍ତ ହେଉଛନ୍ତି, ସୁନ୍ଦର ମୋହନ, ରାମ ବିନ୍ଧାଣି, ବୁଦ୍ଧିରାମ ସିଂ, ଜିତେନ ଶ୍ୟାମ ସିଂ ଓ ସୁନାରାମ ବାରିକ ।
ଏହି ଅଭିଯୁକ୍ତମାନଙ୍କ ପାଖରୁ ମୃତ ହାତୀର ହାଡ଼, କଇଁଛ ଖୋଳପା ଓ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ହାଡ଼ ସହିତ ଦୁଇ ଗୋଟି ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଝାରପୋଖରୀଆ ଥାନା ଅନ୍ତର୍ଗତ ଜଳଡିଙ୍ଗାର ଟାୱାର ଢ଼ାବାରୁ କିଛି ଦିନ ପୂର୍ବରୁ କଲରାପତରିଆ ବାଘର ଛାଲ ଜବତ ଘଟଣା ଓ ଜେନାବିଲ ରେଞ୍ଜର ଗୋରାଣ୍ଡି ବିଟରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିଲା । ଉକ୍ତ ଦୁଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ମିଳିଥିବା ଲିଙ୍କ୍ ଅନୁଯାୟୀ ବନ ବିଭାଗ ତଦନ୍ତ କରିଥିଲା ।
ଲିଙ୍କ୍ ଅନୁଯାୟୀ ସୁନାରାମଙ୍କ ଘରେ ଏ ଗୁଡିକକୁ ଚୋରା ବ୍ୟବସାୟୀ ପାଇଁ ମୂଳଚାଲ ଚାଲିଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଉଭୟ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସମସ୍ତ ୫ଜଣଙ୍କ ନାମରେ ବନ୍ୟାପ୍ରାଣୀ ଆଇନ ଅନୁଯାୟୀ କେଶ ନମ୍ବର ୧୩୧/୨୦୨୨-୨୩ କ୍ରମେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଉକ୍ତ ଶିକାରୀମାନେ ସମାନ ଘଟଣାରେ ସମ୍ପୃକ୍ତ ଥାଇ ଜେଲ୍ ଯାଇଥିଲେ । ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାରିପଦା ସଦର ଥାନା ଅଧିନ ପାଇକବସା ଗ୍ରାମର ହୋଇଥିବା ବେଳେ ପୁରୁଣାପାଣି ଗ୍ରାମରୁ ଜଣେ ଲାଲଗଞ୍ଜ ଗ୍ରାମରୁ ଦୁଇ ଜଣ ଓ ପାଇକବସା ଗ୍ରାମରୁ ଜଣେ ରହିଛନ୍ତି ।
ଗତ ଜାନୁଆରୀ 20 ତାରିଖରେ ଶିମିଳିପାଳ ଅଭୟାରଣ୍ୟର ଶ୍ୟାମଚନ୍ଦ୍ରପୁର ଗ୍ରାମରୁ ଜଣେ ଶିକାରୀକୁ ଗିରଫ କରିଥିଲା ବନବିଭାଗ । ଏହାସହ ତା ନିକଟରୁ ଏକ ଦେଶୀ ଠେସା ବନ୍ଧୁକ ଜବତ ମଧ୍ୟ କରାଯାଇଥିଲା । ଗିରଫ ବ୍ୟକ୍ତି ଜଣକ ଦୃଶୁ ପିଙ୍ଗୁଆ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ଶ୍ୟାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ବୁରୁ ସାହିର ଦୃଶୁ ପିଙ୍ଗୁଆଙ୍କ ଘରେ ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ପୂର୍ବରୁ ସେଠାରେ ଜନୈକ ବ୍ୟକ୍ତିଙ୍କ ଘରେ ବନ୍ୟଜନ୍ତୁ ଶିକାର ପାଇଁ ବନ୍ଧୁକ ରଖାଯାଇଥିବାର ଖବର ବନବିଭାଗ ପାଇଥିଲା ।
ଇଟିଭି ଭାରତ, ମୟୂରଭଞ୍ଜ