ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟର ଶ୍ୟାମଚନ୍ଦ୍ରପୁର ଗ୍ରାମରୁ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ । ଏହାସହ ତା ନିକଟରୁ ଏକ ଦେଶୀ ଠେସା ବନ୍ଧୁକ ଜବତ ମଧ୍ୟ କରିଛି । ଗିରଫ ବ୍ୟକ୍ତି ଜଣକ ଦୃଶୁ ପିଙ୍ଗୁଆ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ଶ୍ୟାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ବୁରୁ ସାହିର ଦୃଶୁ ପିଙ୍ଗୁଆଙ୍କ ଘରେ ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା । ପୂର୍ବରୁ ସେଠାରେ ଜନୈକ ବ୍ୟକ୍ତିଙ୍କ ଘରେ ବନ୍ୟଜନ୍ତୁ ଶିକାର ପାଇଁ ବନ୍ଧୁକ ରଖାଯାଇଥିବାର ଖବର ବନବିଭାଗ ପାଇଥିଲେ।
ପରେ କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ତତ୍ତ୍ବାବଧାନରେ ପୋଲିସ ଓ ବନବିଭାଗର ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ ଗତକାଲି ସକାଳୁ ଶ୍ୟାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ବୁରୁସାହିରେ ଅତର୍କିତ ଭାବେ ଚଢ଼ଉ କରିଥିଲେ । ବୁରୁସାହିରେ ଥିବା ଦୃଶୁ ପିଙ୍ଗୁଆଙ୍କ ଘରୁ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ରଖାଯାଇଥିବା ଏକ ଦେଶୀ ବନ୍ଧୁକ ପାଇଥିଲେ । ତା ସହିତ କିଛି ବାରୁଦ ଏବଂ ଲୁହା ରଡ୍ ମଧ୍ୟ ଜବତ କରିଛି ବନବିଭାଗ । ତେବେ ବନବିଭାଗ ଓ ପୋଲିସର ଟିମ୍ ମିଳିତ ଭାବେ ଦେଶୀ ବନ୍ଧୁକ ଜବତ କରିବା ସହିତ ଦୃଶୁ ପିଙ୍ଗୁଆଙ୍କୁ ଗିରଫ କରିଥିଲା ।
ପରେ ବନବିଭାଗ ଦୃଶୁ ପିଙ୍ଗୁଆକୁ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ହସ୍ତଗତ ହୋଇଛି । ତେବେ କରଞ୍ଜିଆ ଥାନା ପୋଲିସ ଦୃଶୁକୁ ଥାନାକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି । ଦେଶୀ ବନ୍ଧୁକ କେଉଁଠାରୁ ଆସିଲା ଏବଂ ଉକ୍ତ ବନ୍ଧୁକ ଦ୍ୱାରା ଶିମିଳିପାଳ ଜଙ୍ଗଲରେ ଆଉ କେତେ ବନ୍ୟଜନ୍ତୁ ଶିକାର କରାଯାଇଛି ସେସବୁ ସମସ୍ତ ଦିଗରୁ ପୋଲିସ ଓ ବନବିଭାଗ ଛାନଭିନ ଜାରି ରଖିଛନ୍ତି । ସେପଟେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଗଣନା କାର୍ଯ୍ୟ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ପାଖାପାଖି ଗ୍ରାମରେ ଏପରି ବେଆଇନ ବନ୍ଧୁକ ଜବତ ଘଟଣା ପରିବେଶବିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ନିକଟରେ ସମ୍ବଲପୁରରୁ ମଧ୍ୟ ଶିକାରୀ ଆକ୍ରମଣ ଅଭିଯୋଗରେ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ତେବେ ଅଭିଯୁକ୍ତମାନେ ବାରହା ଶିକାର କରିବାକୁ ବିଦ୍ୟୁତ୍ ତାରର ଫାଶ ବିଛାଇଥିଲେ । ହେଲେ ହାତୀଟି ତାର ସଂସ୍ପର୍ଶରେ ଆସିଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ଚଳିତ ମାସ ୫ ତାରିଖ ସକାଳେ ହାତୀର ମୃତଦେହ ଠାବ ହୋଇଥିଲା । ହେଲେ ହାତୀର କେଉଁ କାରଣରୁ ମୃତ୍ୟୁ ହୋଇଥିଲା ତାହା ୭ ତାରିଖ ସକାଳେ ପରୀକ୍ଷା ପରେ ଜଣାପଡ଼ିଥିଲା । ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ହାତୀର ମୃତ୍ୟୁ ହୋଇଥିଲା । ତେବେ ଏହି ତାର ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ହାତୀଟି ଲାଗି ଯାଇଥିଲା । ଫଳରେ ହାତୀର ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ରାଇରଙ୍ଗପୁର