ବାରିପଦା: ଜିଲ୍ଲା ବେତନଟୀ ଥାନା 18ନମ୍ବର ଜାତୀୟ ରାଜପଥରେ ଥିବା ପୂଜା ଢାବା ମ୍ୟାନେଜରଙ୍କୁ ଅପହରଣ ପରେ ତାଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା । ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଘଟଣାର 24ଘଣ୍ଟା ଭିତରେ ପୋଲିସକୁ ସଫଳତା ମିଳିଛି । ବେତନଟୀ ପୋଲିସ, ବାରିପଦା ଟାଉନ ଥାନା ପୋଲିସ ଓ ସ୍ବତନ୍ତ୍ର ପୋଲିସ ଦଳର ସହଯୋଗରେ ଏକ ବଡ ଧରଣ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଢାବା ମ୍ୟାନେଜର ତପନ କୁମାର ସାହୁଙ୍କୁ ଅପହରଣ ଘଟଣାରେ ଦୁଇ ଅଭିଯୁକ୍ତ ଅଜୟ କୁମାର ପାତ୍ର, ରୋହିତ ବେହେରାଙ୍କୁ ବାରିପଦା ଶଙ୍ଖାଭଙ୍ଗା ନିକଟରୁ ଗିରଫ କରିଛି ।
ଦୁଇ ଅଭିଯୁକ୍ତ ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ବାରିପଦା-ଚିତ୍ରଡା ରାସ୍ତାରେ ଚକାପଞ୍ଝା ଚାଲିବା ପରେ ଦୁର୍ବୃତ୍ତ ମାନେ ପୋଲିସକୁ ଚକମା ଦେଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରିଥିଲା। ଦୁଇଜଣଙ୍କୁ କାବୁ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁମନ ସିଂ ଓ ସମ୍ପୃକ୍ତ 4 ସାଥି ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କ ସହିତ ଗୋଟିଏ କାର,ଦୁଇଟି ମୋବାଇଲ ସହ,21ହଜାର 70ହଜାର ଟଙ୍କା ଜବତ କରିଛି। ଏହି ଘଟଣା ପ୍ରେମ ମାମଲାରେ ସଂପୃକ୍ତ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛନ୍ତି ବେତନଟି ଥାନା ଅଧିକାରୀ ତିଳୋତ୍ତମା ରାଉତ । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ତନାଘନା ଜାରି ରଖିଛି ।
ପ୍ରକାଶ ଥାଉ କି, ଗତକାଲି ରାତିରେ ୧୮ ନମ୍ବର ଜାତୀୟ ରାଜପଥ ପାଖ ଏକ ଢାବା ମ୍ୟାନେଜର ତପନ କୁମାର ସାହୁଙ୍କୁ ବଳପୂର୍ବକ ଛଅଜଣ ଦୁର୍ବୃତ୍ତ ଉଠାଇ ନେଇଥିଲେ । ତାଙ୍କୁ ଲହୁଲୁହାଣ କରି ଫୋପାଡି ଦେଇଥିଲେ । ବର୍ତ୍ତମାନ ତପନ ପିଆରଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ