ରାଇରଙ୍ଗପୁର: ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ତଥା ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକରୀ ଅବହେଳା ପାଇଁ ମାତ୍ର ଏସବୁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁନି ।ଫଳରେ ଗ୍ରାମାଞ୍ଚଳରେ ଥିବା ରୋଗୀମାନେ ସେବାରୁ ବଞ୍ଚିତ ହେଉଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ହାଟବାଦଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ।
ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଛଅଟି ପଞ୍ଚାୟତର ପାଖାପାଖି ୫ ହଜାର ଲୋକେ କୁସୁମୀ ବ୍ଲକର ଏହି ହାଟବାଦଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଉତ୍ତମ ସ୍ବାସ୍ଥ୍ୟ ସେବା ଏହି ଅଞ୍ଚଳର ଲୋକଙ୍କ ପାଇଁ ପାଲଟିଛି ସାତସପନ ।
ନାହିଁ ନାହିଁରେ ଚାଲିଥିବା ହାଟବାଦଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏପର୍ଯ୍ୟନ୍ତ ନିୟମିତ ଡାକ୍ତର ନିଯୁକ୍ତି ପାଇ ନାହାଁନ୍ତି । ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର ଏମବିବିଏସ ଡ଼ାକ୍ତରଙ୍କ ଦାୟିତ୍ୱ ତୁଲାଉଛନ୍ତି । ଜଣେ ଆୟୁଷ ଡାକ୍ତର, ଜଣେ ଆଶାକର୍ମୀ ଓ ଜଣେ ଆଟେଣ୍ଡାଣ୍ଟଙ୍କ ଭରସାରେ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ।
ଏଥିସହ ବିପଦସଂକୁଳ ଅବସ୍ଥାରେ ମଧ୍ୟ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର । ଗୃହ ଗୁଡ଼ିକର କାନ୍ଥ ଓ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସୁ ଥିବାବେଳେ ବର୍ଷା ଦିନରେ ଦିନ ରାତି ପାଣି ଗଳିଥାଏ । ବିପଦ ସଂକୁଳ ଅବସ୍ଥାରେ ଥିବା ଗୃହ ଗୁଡିକ କେତେବେଳେ ଯେ ଭୁଶୁଡି ଯାଇ ଧନଜୀବନ କ୍ଷତି କରିବ ତାହା ଦେଖିଲେ ସହଜେ ଅନୁମେୟ ।
ଏଥିସହ ଏଠାରେ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପାଞ୍ଚଟି ବେଡ଼୍ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ରୋଗୀଙ୍କ ପାଇଁ ଥିବା ପାଇଖାନାରେ କବାଟ ନ ଥିବା ଦେଖାଦେଇଛି । ସେହିପରି ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ । ରକ୍ତ, ମଳ ଓ ମୂତ୍ର ପରୀକ୍ଷା କରିବା ପାଇଁ ବାହାରରେ ଥିବା ପାଥୋଲଜିକୁ ରୋଗୀମାନଙ୍କୁ ଯିବାପାଇଁ ପଡୁଛି ।
ଏହାଛଡା ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନଙ୍କ କଥା ନକହିବା ଭଲ । ସାଧାରଣତଃ ଜ୍ବର, କାଶ, ଥଣ୍ଡା, ମେଲେରିଆ ହୋଇଥିବା ରୋଗୀମାନେ ଏଠାକୁ ଆସି ଚିକିତ୍ସା ସୁବିଧା ନ ପାଇ ଶେଷରେ ରାଇରଙ୍ଗପୁର କିମ୍ବା ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଛି ।
ଏ ସମସ୍ତ ସମସ୍ୟା ନେଇ ଆମ ପ୍ରତିନିଧି ହାଟବାଦଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତରଙ୍କୁ ପଚାରି ବୁଝିବାରୁ ସେ ଉପରିସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଲିଖିତ ଅବଗତ କରାଇଥିବା କହିଛନ୍ତି । ଏହା ସହ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏମବିବିଏସ ଡାକ୍ତର, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ ଓ ଏଏନଏମ ରହିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।
ସେହିପରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମ ଛତିଶ ଚନ୍ଦ୍ର ମହାନ୍ତଙ୍କୁ ଏନେଇ ପଚରିବାରୁ ସେ ଏମବିବିଏସ ଡାକ୍ତର ନିଯୁକ୍ତି ସହ ଅନ୍ୟାନ୍ୟ ସମସ୍ୟା ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ କେବେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଦୂର ହେବ ତାହା ଦେଖିବାକୁ ବାକି ରହିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ