ବାରିପଦା: ବନ ବିଭାଗର ନିଦ ହଜାଇଛି ଜଙ୍ଗଲ ମାଫିଆଙ୍କ ଚୋରା କାଠ ଚାଲାଣ । ଏହି କ୍ରମରେ ଚୋରା କାଠ ଚାଲାଣ ହେଉଥିବା ଖବର ପାଇଥିଲା କରଞ୍ଜିଆ ବନବିଭାଗ । ଖବର ପାଇବା ପରେ ବନବିଭାଗର ଏକ ଟିମ୍ ଦୁଧିଆଣି ରେଞ୍ଜ ଅଧୀନ ଟିଙ୍ଗାବିଲାରେ ଥିବା ଟ୍ରକ୍ ବଡି ଗ୍ୟାରେଜରେ ମିଳିତ ଭାବେ ଚଢାଇ କରିଥିଲା ।
ଚଢାଉବେଳେ 191ଟି ମୂଲ୍ୟବାନ ଶାଳପଟା ଏବଂ 18ଟି ମୂଲ୍ୟବାନ ରିମୁଲି ପଟା ଜବତ କରିଛି ବନ ବିଭାଗ । ଉକ୍ତ ମାମଲାରେ ରାଣା ଓ ରାଣା ଗ୍ୟାରେଜର ମ୍ୟାନେଜର ସଞ୍ଜୟ ରାଣାଙ୍କୁ ଗିରଫ କରାଯାଇଛି । ତେବେ ଏହି ଚଢାଉରେ କରଞ୍ଜିଆ ରେଞ୍ଜ ଅଧିକାରୀ, ଦୁଧିଆଣି ରେଞ୍ଜ ଅଧିକାରୀ ସମେତ ବନବିଭାଗ କର୍ମଚାରୀ ସାମିଲ ଥିଲେ ।
ପ୍ରତ୍ୟେତ ଦିନ ଭିନ୍ନ ଭିନ୍ନ ସ୍ଥାନରେ ଚୋରା କାଠ ଚାଲାଣ ହେଉଥିବାବେଳେ ବନ ବିଭାଗ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢାଉ କରି ପ୍ରଶଂସା ହାସଲ କରୁଛି । କିନ୍ତୁ ବିଭାଗର କଡା ସୁରକ୍ଷା ପରେ ମଧ୍ୟ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର କାଠ ଚାଲାଣକୁ ନେଇ ଏବେ ପ୍ରଶ୍ନ ଉଠିଛି । ସେପଟେ ବିଭିନ୍ନ ସ୍ଥାନରେ ବଡି ଗ୍ୟାରେଜ ସହିତ ଫର୍ନିଚର୍ ଦୋକାନ ମଧ୍ୟ ଖୋଲାଯାଉଥିବା ବେଳେ ସେଗୁଡିକରେ ମଧ୍ୟ ଚଢାଉ କରିବାକୁ ସାଧାରଣରେ ଦାବି ହେଉଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ