ବାରିପଦା: ପିତା ଧର୍ମ, ପିତା ସ୍ବର୍ଗ ପିତା ହିଁ ପରମ ତପ । ବାପାକୁ ଇଶ୍ବର ସହିତ ତୁଳନା କରାଯାଏ । ନିଜ ସନ୍ତାନ ହାତ ଧରି ଚାଲିବା ଶିଖାଏ ବାପା । ହେଲେ ବାପା ଯେତେବେଳେ ସଇତାନ ପାଲଟି ଯାଏ ସେତେବେଳେ ସବୁ ଓଲଟପାଲଟ ହୋଇଯାଏ । ରାଗର ବଶବର୍ତ୍ତୀ ହୋଇ ନିଜ ଛୁଆକୁ କଚାଡି ମାରିଛି ଜଣେ ନୃଶଂସ ବାପା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟବତୀଦେଇପୁର ଗାଁରେ । ଏହି ଗାଁରେ ରହୁଥିବା ମଧୁ ସିଂ ମଙ୍ଗଳବାର ଅତି ନୃଶଂସ ଭାବେ ନିଜ 6 ବର୍ଷର ପୁଅକୁ କଚାଡି ମାରିଛି । ଯାହା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ପୁରା ଘଟଣା ଏମିତି, ଅଭିଯୁକ୍ତ ମଧୁ ଗୋରୁ ବାନ୍ଧିବାକୁ ନେଇ ଉକ୍ତ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସହ ଝଗଡା କରିଥିଲା । ପରେ ଘରକୁ ଫେରିଥିଲା । ସେହି ସମୟରେ ତାର 6 ବର୍ଷର ପୁଅ କାନ୍ଦୁଥିଲା । ଯାହାକୁ ନେଇ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲା ସେ । ରାଗରେ ନିରିହ ଶିଶୁକୁ ପ୍ରଥମେ କଚାଡି ଦେଇଥିଲା । ସେତିକିରେ ବି ବାପାର ମନ ଶାନ୍ତି ହୋଇନଥିଲା । ପୁଅକୁ ପୋଖରୀକୁ ନେଇ ପାଣିରେ ବୁଡାଇଥିଲା । ଏହାପରେ ପୁଣି ଥରେ କଚାଡି ଦେଇଥିଲା । ସେଠାରେ ହିଁ ଶିଶୁଟିର ପ୍ରାଣବାୟୁ ଉଡି ଯାଇଥିଲା ।
ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ