ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଝିଅକୁ ହତ୍ୟା କଲା ସାବତ ମା' । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାରହାଗଡ଼ିଆ ଗ୍ରାମରେ ।
ସୂଚନାନୁସାରେ, ଉକ୍ତ ଗ୍ରାମର କାହ୍ନୁ ଟୁଡୁ ନିଜ ପ୍ରଥମ ସ୍ତ୍ରୀର ବିୟୋଗ ପରେ ସୁମିତ୍ର ଟୁଡୁ ନାମକ ମହିଳାଙ୍କୁ ବିବାହ କରିଥିଲେ । ତେବେ କାହ୍ନୁଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ସହ ସୁମିତ୍ରାର ଅନେକ ସମୟରେ ବଚସା ହେଉଥିଲା । ଯାହାକୁ କେନ୍ଦ୍ର କରି ସୁମିତ୍ରା ଘରେ କେହି ନଥିବା ସମୟରେ ନାବାଳିକା ଝିଅ ଝରଣାକୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ଏକ ଶାଢୀରେ ଘର ଭିତରେ ଟାଙ୍ଗି ଦେଇଥିଲା । ପରେ ଝରଣାକୁ ଖୁଣ୍ଟା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ତେବେ କାହ୍ନୁ ଟୁଡୁ ଭୁବନେଶ୍ୱରରେ କାମ କରୁଥିବା ବେଳେ ମଙ୍ଗଳବାର ଝିଅର ମୃତ୍ୟୁ ଖବର ପାଇ ଘରକୁ ଆସିବା ପରେ ସାବତ ମା' ଝିଅକୁ ମାରି ଦେଇଥିବା ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଖୁଣ୍ଟା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସାବତ ମା' ସୁମିତ୍ରାଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ସୁମିତ୍ରା ପୋଲିସ ଆଗରେ ସମସ୍ତ ଘଟଣା ପ୍ରକାଶ କରିଥିଲା । ତେବେ ଏନେଇ ଖୁଣ୍ଟା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ