ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ୨୨ ଟି ହାତୀ ପଲ ଫେରି 8 ଦିନ ହେଲା କରଞ୍ଜିଆ ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଅଞ୍ଚଳରେ ତାଣ୍ଡବ ମଚେଇଛନ୍ତି । ପାଖାପାଖି ମାସେ ପର୍ଯ୍ୟନ୍ତ ଏହି ହାତୀପଲ କରଞ୍ଜିଆ ବନଖଣ୍ଡରୁ ଅନ୍ୟତ୍ର ଚାଲିଯିବା ଫଳରେ ହାତୀ ଉପଦ୍ରବରୁ ତ୍ରାହି ପାଇଥିଲେ ଲୋକେ । ଏବେ ପୁଣି ଥରେ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ହାତୀ ଉପଦ୍ରବ । ଏହି ହାତୀ ପଲ ଉପଦ୍ରବ ଯୋଗୁଁ ପୂର୍ବରୁ ବହୁତ ଘରଦ୍ବାର ନଷ୍ଟ ହେବା ସହିତ ଏକର ଏକର ଚାଷଜମି ନଷ୍ଟ ଏବଂ ଧନଜୀବନ ମଧ୍ୟ କ୍ଷୟକ୍ଷତି ହୋଇଥିଲା ।
ତେବେ ଗତ ଆଠ ଦିନ ହେଲା ପୁଣି ଏହି ହାତୀପଲ କରଞ୍ଜିଆ ରେଞ୍ଜଓ ଦୁଧିଆଣି ରେଞ୍ଜ ଅଧୀନସ୍ଥ ରସମତଳା, କଦମବେଡା, ବଡଦେଉଳି, ସାନଦେଉଳି, ବାଗଦଫା, ତୁଙ୍ଗୁରିଆ ଓ ମଟା ଭଳି ବିଭିନ୍ନ ଅଞ୍ଚଳରେ ପଶି ଏକର ଏକର ପାଚିଲା ଧାନ ଫସଲ ନଷ୍ଟ କରୁଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଷିଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ହାତୀପଲଙ୍କୁ ଘୋଉଡାଇବା ସହ କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ