ବାରିପଦା: କୋରୋନା ପାଇଁ ପୁରା ଦେଶ ଲକ୍ଡାଉନ୍ । ଏହି ସମୟରେ ଲୋକଙ୍କୁ ଘାରିଛି ହାତୀ ଭୟ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଝାଡଖଣ୍ଡୀ ହାତୀ ପାଇଁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।
କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ପୁରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ଏତିକି ବେଳେ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଝାଡଖଣ୍ଡି ହାତୀ ପଲକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା, ଚିତ୍ରଡା, ପାଟପୁଟ, ଶୀଳଦା, ରୁକୁଣୀ, ପଟାକୁଣ୍ଡିଆ ଗାଁ ଲୋକେ ଏବେ ହାତୀ ପଲକୁ ନେଇ ଭୟଭୀତ ଅବସ୍ଥାରେ ଥିବାବେଳେ ହାତୀ ପାଇଁ ଏ ସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହୁ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନାନୁଯାୟୀ, ହାତୀ ପଲ ଦେଖିବାକୁ ରାତିରେ ଲୋକଙ୍କ ଭିଡ ଜମୁଥୁବା ଜଣାପଡିଛି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରହିଥିବା ବେଳେ ହାତୀ ପଲ ଏବେ ବଳଦିଆ ଜଙ୍ଗଲରେ ରହିଥିବା ଜଣାପଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ