ରାଇରଙ୍ଗପୁର: ଥମିବାର ନାଁ ଧରୁନି ହାତୀ ମଣିଷ ଲଢେଇ । କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ କେଉଁଠି ମଣିଷ ଯୋଗୁଁ ହାତୀ ବିପଦରେ ପଡୁଛି । ହାତୀକୁ ମଶାଲ ଯୋଗେ ନିଆଁ ହୁଳା ମାଡ଼ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକରେ ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ହାତୀପଲକୁ ଘଉଡ଼ାଇବାକୁ ଆସିଥିବା ବେଳେ ଦୁଇ ଜଣେ ବ୍ୟକ୍ତି ହାତରେ ମଶାଲ ଧରିଛନ୍ତି । ଏହାପରେ ହାତୀ ଉପରକୁ ମଶାଲରେ ନିଆଁ ହୁଳା ମାଡ଼ କରୁଛନ୍ତି । ଦୁଇ ଦୁଇ ଥର ହାତୀ ପିଠିରେ ଯୁବକ ଜଣକ ନିଆଁ ମାଡ଼ କରିବା ଫଳରେ ତାର ପିଠିରେ ନିଆଁ ବାଜିଥିବାର ଦେଖିବାକୁ ମିଳିଛି । ପାଖରେ ଥିବା ଲୋକମାନେ ଏପରି ଘଟଣା ଦେଖୁଥିଲେ ବି କେହି ବାରଣ କରୁନାହାନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ହାତୀର ସୁରକ୍ଷା ପାଇଁ ଅନେକ ଯୋଜନା କରାଯାଉଥିବା ବେଳେ ଏବେ ହାତୀ ବିପଦରେ ପଡିଛି ।
ନିଆଁ ମାଡ଼ ପରେ ହାତୀର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ସେନେଇ ଏବେ ପ୍ରଶ୍ନ ଉଠୁଛି । ଏହି ଘଟଣା ନେଇ ବନବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା । କରଞ୍ଜିଆ ଡିଏଫଓ ପ୍ରକାଶ କହିଛନ୍ତି ଯେ, ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି । ଯଦି ଘଟଣାଟି ଏହି ଅଞ୍ଚଳର ବୋଲି ଜଣାପଡ଼ିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥି ସହିତ ଆବଶ୍ୟକତା ପଡିଲେ ହାତୀକୁ ନିଆଁ ମାଡ଼ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି କରଞ୍ଜିଆ ଡିଏଫଓ ।
ଏହା ମଧ୍ୟ ପଢନ୍ତୁ-ହାତୀ-ମଣିଷ ଲଢେଇ; ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ବହୁସୂତ୍ରୀ ଫର୍ମୁଲା
ଗତ କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡରେ 50ରୁ ଊର୍ଦ୍ଧ୍ବ ହାତୀ ଆତଙ୍କ ସୃଷ୍ଟି କରିଛନ୍ତି । ପ୍ରାୟ 35ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ସାରିଲେଣି ହାତୀପଲ । ଯାହାକୁ ନେଇ ଚିନ୍ତାରେ ବନବିଭାଗ । ବୁଧବାର(ଜୁଲାଇ26) ରାତିରେ ଶୁକୃଳି ବ୍ଲକର ବିଭିନ୍ନ ସ୍ଥାନରେ ହାତୀ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିବାର ସୂଚନା ମିଳିଛି । ଶୁକୃଳି ବ୍ଲକର ପୃଥକ୍ ପୃଥକ୍ ସ୍ଥାନରେ ଅଛନ୍ତି 22ଟି ହାତୀ । ହାତୀପଲକୁ ଘଉଡାଇବା ପାଇଁ ଜଣେ ବ୍ୟକ୍ତି ହାତୀ ପିଠିରେ ମଶାଲ ଯୋଗେ ନିଆଁ ମାଡ଼ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଏହି ଘଟଣାରେ ବନବିଭାଗର ତଦନ୍ତ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜ ଅଞ୍ଚଳରେ ଘଟିଥିବା ଜଣା ପଡିଛି। ଘଟଣାଟି ଅତ୍ୟନ୍ତ ଅମାନବୀୟ ଘଟଣା ହୋଇଥିବା ବେଳେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।
ଗତ ୧୫ ତାରିଖ ଦିନ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଡୁମୁରିଆ ଗାଁରେ ଏହି ଘଟଣା ଘଟିଥିବା ଜଣା ପଡିଥିଲା। ଏଥି ସହିତ ନିଆଁ ମାଡ଼ କରିଥିବା ଦୁଇ ଜଣ ଯୁବକଙ୍କୁ ଚିହ୍ନଟ କରା ଯାଇଥିଲା। ଉକ୍ତ ଯୁବକ ଦ୍ବୟ ଅସ୍ଥାୟୀ ବନ ବିଭାଗ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଥିଲା। ଯୁବକ ଦ୍ବୟ ଦୁଧିଆଣୀ ରେଞ୍ଜର ଅସ୍ଥାୟୀ ବନ କର୍ମଚାରୀ ବାପି ମାଝୀ ଓ ଦୀପକ ହେମ୍ବ୍ରମ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣ ପାଇଁ ସେମାନେ ଏପରି ଅମାନବୀୟ କାର୍ଯ୍ୟ କରିଛନ୍ତି ସେ ନେଇ ଉଭୟଙ୍କୁ ରିପୋର୍ଟ ତଲବ କରାଯାଇଛି । ଏହି ଘଟଣାରେ ସେମାନେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ କହିଛନ୍ତି।
ଇଟିଭି ଭାରତ, ରାଇରଙ୍ଗପୁର