ମୟୁରଭଞ୍ଜ: ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ସମାୟଡିହି ଲୋଧାସାହି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କିନ୍ତୁ ଦୟନୀୟ । ଶ୍ରେଣୀ ଗୃହରେ ପଡିରହିଛି ବିଦ୍ୟୁତ ସାମଗ୍ରୀ ।
ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପାଠପଢନ୍ତି । ଦୁଇଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ଗୃହରେ ଚାଲିଛି ପାଠପଢା ଓ ଅନ୍ୟ ଏକ ଗୃହରେ ପଡିରହିଛି ବିଦ୍ୟୁତ ସାମଗ୍ରୀ । ସ୍କୁଲ ନିର୍ମାଣ ହେବା ପରଠାରୁ ଜଣେ ଠିକାଦାର ସାମଗ୍ରୀ ରଖି ଦେଇ ଯାଇଛନ୍ତି ହେଲେ ଏଯାଏଁ ଠିକାଦାରଙ୍କ ଦେଖାନାହିଁ । ତେବେ ଏନେଇ ସ୍କୁଲ ପ୍ରଧାନଶିକ୍ଷକ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ କୌଣସି ଅଭିଯୋଗ ନକରିବା ଆଶ୍ଚର୍ଯ୍ୟଜନକ ବିଷୟ।
ଶ୍ରେଣୀ ଗୃହରେ ଲକ୍ଷାଧିକ ସାମଗ୍ରୀ ପଡିରହିଥିବା ବେଳେ ପ୍ରଧାନଶିକ୍ଷକ ଏ ବାବଦରେ ଚୁପ ରହିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଦ୍ୟୁତ ଉପକରଣ ଶ୍ରେଣୀ ଗୃହରେ ଜଣେ ଠିକାଦାର ରଖିଥିବା କଥା ନା ବିଦ୍ୟୁତ ବିଭାଗ ଜାଣିଛି ନା ଶିକ୍ଷା ବିଭାଗ । ତେବେ ଏନେଇ କ୍ୟାମେରା ସାମ୍ନାରେ କୌଣସି ଅଧିକାରୀ ମୁହଁ ଖୋଲି ନାହାଁନ୍ତି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ