ରାଇରଙ୍ଗପୁର: ବିଶୁଦ୍ଧ ପାନୀୟ ଜଳ ପାଇ ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାପିବାରେ ଲାଗିଛି ହଇଜା, ଡାଇରିଆ ଭଳି ସଂକ୍ରମଣ । ଏହି ସଂକ୍ରମଣ ମୟୂରଭଞ୍ଜ ଯଶିପୁର ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି । ଯଶିପୁରରେ 50ରୁ ଊର୍ଦ୍ଧ୍ବ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ 4 ଜଣଙ୍କ ମୁଣ୍ଡ ଗଡିଛି । ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣେ ନାବାଳକର ଚିକତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏବେ ବର୍ଷା ଋତୁ ଯୋଗୁଁ ଚୂଆ ଓ ପୋଖରୀ ପାଣି ବ୍ୟବହାର କରି ଗାଁର ଗୋଟିଏ ସାହିର ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଆଖପାଖ ସାହି ଓ ନିକଟସ୍ଥ ଗ୍ରାମଗୁଡିକୁ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ମୁଣ୍ଡାସହି ୫୦ରୁ ଊର୍ଦ୍ଧ୍ବ ଘର ଥିବା ବେଳେ, ପାନୀୟ ଜଳ ପାଇବା ପାଇଁ ଭୂମି ସହିତ ସମତଳ ଥିବା ଖୋଲା କୂଅ ଉପରେ ନିର୍ଭରଶୀଳ ହୋଇଥାନ୍ତି ଗ୍ରାମବାସୀ । ବର୍ଷା ଦିନରେ କୂଅ ପାଣିରେ ବିଭିନ୍ନ ଅପରିଷ୍କାର ପାଣି ମିଶିବା ଫଳର ପ୍ରତି ବର୍ଷ ବର୍ଷା ଦିନେ ଝାଡାବାନ୍ତି ବ୍ୟାପୁଛି । ପାନୀୟ ଜଳ ଯୋଗୁଁ ସଂକ୍ରମିତ ହେଉଥିବାର ଅଭିଯୋଗ କରି ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ସହ ନୂତନ ବୋରିଂ କୂଅ ନିର୍ମାଣ ପାଇଁ ଦାବି କରିଛନ୍ତି ବାସିନ୍ଦା ।
ବହଳଦା ହସ୍ପିଟାଲ ଡାକ୍ତର ଅନୁଜ କୁମାର ସାହୁ କହିଛନ୍ତି, ‘‘ଏହି ଘଟଣା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ବାରିପଦାରୁ ଚିକିତ୍ସକଙ୍କ ସହିତ ଏକ ଗବେଷକ ଦଳ ଯଶିପୁର ଗ୍ରାମର ବିଭିନ୍ନ ସାହି ନିରୀକ୍ଷଣ କରିବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କୁ ଚିହ୍ନଟ କରି ଡାକ୍ତରଖାନାକୁ ପଠାଇଛି । ଯଶିପୁର ଗ୍ରାମର ସମସ୍ତ ସାହିକୁ ସାହି ଯାଇ ଲୋକଙ୍କୁ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଉଛନ୍ତି ।’’
ଅଧିକ ପଢନ୍ତୁ: ବ୍ୟାପୁଛି ଝାଡାବାନ୍ତି: ଗୋଟିଏ ସାହିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମୃତ
ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ରବିନ୍ଦ୍ର ନାଥ ମାରାଣ୍ଡି କହିଛନ୍ତି,‘‘ଡାଇରିଆରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ଜୀବନ ଯିବାର ଖବର ରହିଛି । ଏଥି ସହିତ ଗାଁରୁ ସଂଗ୍ରହ କରାଯାଇଥିବା ନମୁନା ପାଣିର ଲ୍ୟାବ ଟେଷ୍ଟ ପରେ ସେଥିରେ ସିଗେଲା ବ୍ୟାକ୍ଟେରିଆ ଥିବା ଜଣା ପଡିଛି। ଏହି ବ୍ୟାକ୍ଟେରିଆ ମାରାତ୍ମକ ହୋଇଥିଲେ ମଧ୍ୟ ଡରିବାର ଅବଶ୍ୟକତା ନାହଁ । ଉକ୍ତ ଗାଁରେ ବିଭାଗ ପକ୍ଷରୁ ନଜର ରଖାଯିବା ସହିତ ପରିସ୍ଥିତି ଏବେ ଆୟତ୍ତରେ ରହିଛି ।’’
ଇଟିଭି ଭାରତ , ରାଇରଙ୍ଗପୁର