ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ବରାଜିଆଣି ଗ୍ରାମରୁ ନାବାଳକର ଝୁଲନ୍ତା ମୃତଦେହକୁ ଶୁକ୍ରବାର ପୋଲିସ ଉଦ୍ଧାର କରିଛି । ତେବେ ମୃତ୍ୟୁର କାରଣ ସଂପର୍କରେ ଜଣାନପଡିଥିବା ବେଳେ ହତ୍ୟା କରି ଟାଙ୍ଗି ଦେଇଥିବା ସଂପର୍କୀୟ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବରାଜିଆଣି ଗ୍ରାମର ଦୁବରାଜ ମୁର୍ମୁଙ୍କ ପୁଅ ଚାନ୍ଦୁରାମ ଗାଁ ନିକଟରେ ଥିବା କେନାଲ ପାଖ ଏକ ଆକାଶିଆ ଗଛରେ ଗାମୁଛାରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି । ମୃତ୍ୟୁ ବେଳେ ଚାନ୍ଦୁରାମକୁ 12 ବର୍ଷ ହୋଇଥିଲା ବୋଲି ଜଣାପଡିଛି ।
ତେବେ ମୃତ୍ୟୁର କାରଣ ସଂପର୍କରେ ସଠିକ୍ ତଥ୍ୟ ପୋଲିସକୁ ମିଳିନଥିବା ବେଳେ ପୁଅକୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ଘଟଣା ସଂପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଘଟଣା ସଂପର୍କରେ ଜଣାପଡିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ