ରାଇରଙ୍ଗପୁର : ନୂଆ ରୂପ ପାଇବ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ । ଅଲଚିକି ଲିପିର ସ୍ରଷ୍ଟା ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଫଳରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ଅତୁଳନୀୟ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରି ଯାଇଛନ୍ତି। ସାନ୍ତାଳି ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ତେଣୁ ସେ ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ସଦୃଶ୍ୟ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ ରାଜ୍ୟ ସରକାର ବାରିପଦା ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ ମଧ୍ୟ କରିଛନ୍ତି। ସାନ୍ତାଳି ଜାତି ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ ସମ୍ମାନ ଜଣାଇ ଗତବର୍ଷ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ବୈଶାଖ ପୂର୍ଣ୍ଣିମାକୁ ମଧ୍ୟ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି । ତେବେ ୫ଟି ସଚିବ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ମାସ ୨ ଓ ୩ ଦୁଇ ଦିନ ଧରି ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଦାଣ୍ଡବୋଷ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପରିଦର୍ଶନ କରିଥିଲେ ଏବଂ ବାରିପଦାସ୍ଥିତ ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ମଧ୍ୟ ଯାଇଥିଲେ। ତାଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ ସାନ୍ତାଳୀ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଅନୁମୋଦନ କରାଯାଇଛି ।
ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଦାଣ୍ଡବୋସ ଗ୍ରାମରେ ବିଜେଡ଼ି ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରୋଡା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ବିଧାୟକ ଭାଦବ ହାଁସଦା, ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦା, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଦେବାଶିଷ ମାରାଣ୍ଡି ଓ ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସହୀଦ ପୀଠର ଉନ୍ନତିକରଣ ସହିତ ଗ୍ରାମର ବିକାଶ ପାଇଁ ପାଇଁ ମୁଖ୍ୟମନ୍ତ୍ରୀ ଦଶ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଥିବାରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା ଅନୁଦାନ ରାଶିରେ ଦାଣ୍ଡବୋସ କପିଡୁଙ୍ଗୁରୀ ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠର ବିକାଶ ସହିତ ଏକ ଧ୍ୟାନକେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ତା ସହିତ କପିଡୁଙ୍ଗୁରୀରେ ପାଚେରୀ ନିର୍ମାଣ, ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣ, ଏକ ଅଡିଟୋରିଓମ, ଗବେଷଣା କେନ୍ଦ୍ର, ପର୍ଯ୍ୟଟକ ମାନଙ୍କ ପାଇଁ ଶୟନାକକ୍ଷ, କପିଡୁଙ୍ଗୁରୀର ସୌନ୍ଦର୍ଯ୍ୟକରଣ ଓ ସ୍ବାଗତତୋରଣ, ଦାଣ୍ଡବୋଷ ଗ୍ରାମ, ବିଦୁ ଚନ୍ଦନ ବାହାଗାଳର ବିକାଶ, ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟୁତକରଣ ପାଇଁ ଏହି ରାଶି ଖର୍ଚ୍ଚ କରାଯିବ ବୋଲି ସୂଚନା ରହିଛି।
ଇଟିଭି ଭାରତ, ରାଇରଙ୍ଗପୁର