ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମ୍ୟୁନିସିପାଲଟି କର୍ମଚାରୀ ଏବଂ ବେସରକାରୀ ସଫେଇ ଠିକାଦାରଙ୍କ ମନମାନୀ ନୀତି ଯୋଗୁଁ ବକେୟା ଦରମା ପାଇ ପାରୁନଥିବା ଅଭିଯୋଗ ହୋଇଛି।
ଆଜି(ଗୁରୁବାର) ସକାଳୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ପୌରପାଳିକା କର୍ତ୍ତୃପକ୍ଷ ଓ ବେସରକାରୀ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜିକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ଯନ୍ତ ଦରମା ମିଳିପାରି ନାହିଁ। ଏନେଇ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇ ମଧ୍ଯ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ।
ସେପଟେ ଆବଶ୍ୟକୀୟ ଯନ୍ତ୍ରପାତି, ପୋଷାକ ପତ୍ର, ମାସ୍କ, ସାନିଟାଇଜର ଦିଆ ନଯିବା ସହିତ କାର୍ଯ୍ୟରତ ସମୟରେ ଖଣ୍ଡିଆ ଖାବରା ହେଲେ ଔଷଧପତ୍ର ଦିଆଯାଉ ନାହିଁ। ଫଳରେ ବାଧ୍ଯ ହୋଇ ସେମାନେ କାର୍ଯ୍ଯବନ୍ଦ କରିବା ସହ ପୌରପାଳିକା କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସଫେଇ କର୍ମଚାରୀଙ୍କ କାର୍ଯ୍ଯବନ୍ଦ ଯୋଗୁଁ ଆଜି ପୌରାଞ୍ଚଳରେ ସଫେଇ କାର୍ଯ୍ୟ ହୋଇ ପାରିନଥିବା ଜଣାପଡ଼ିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ