ରାଇରଙ୍ଗପୁର: ପୋଲ ନିର୍ମାଣ ନ ହେଲେ ଭୋଟ ବର୍ଜନ କରାଯିବ । ଏଭଳି ଏକ ଚେତାବନୀ ଦେଇଛନ୍ତି ବହଳଦା ବ୍ଲକ ଡକଡିହା ଗ୍ରାମର ବାସିନ୍ଦା। ଏହା ସହ ଏନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ଡକଡିହା ଗ୍ରାମକୁ ଯାତାୟତ କରିବା ପାଇଁ ଏକ ନଦୀ ପାର ହେବାକୁ ପଡେ। ତେବେ ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ଏହି ଗାଆଁଟି ବାହ୍ୟ ଜଗତରୁ ବିଛିନ୍ନ ହୋଇପଡେ । ଗ୍ରାମକୁ ଯିବା ଆସିବା କରିବାପାଇଁ ଏକମାତ୍ର ଭରସା ରେଲୱେ ଓଭରବ୍ରିଜ ଥିବାରୁ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରିଥାନ୍ତି।
ଏହା ସହ ବର୍ଷା ଦିନେ ଅଧିକାଂଶ ସମୟରେ ଗ୍ରାମର ପିଲାମାନେ ସ୍କୁଲ ମଧ୍ୟ ଯାଇ ପାରୁନଥିବା ଏବଂ ପୋଲ ନିର୍ମାଣ ହୋଇ ନ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ନେଇ ଉକ୍ତ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଏଥିଲାଗି ଅତିଷ୍ଠ ହୋଇ ଡକଡିହା ଗ୍ରାମର ବାସିନ୍ଦାମାନେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ