ବାରିପଦା: ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରି ବିଜେଡି କର୍ମୀ ତାଙ୍କୁ ଅଟକ ରଖିଥିଲେ । ଏହାର ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛି ଜିଲ୍ଲା ବିଜେପି ।
ସୂଚନାଅନୁସାରେ,ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲା ଯୋଜନା ପ୍ରସ୍ତୁତି ଦିଶା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଯୋଗ ଦେଇଥିଲେ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡପ କରିବା ସହ ବିଜୁ ବାବୁଙ୍କ ଫୋଟ ଲଗାଇ ନିଜ ଯୋଜନା ଦର୍ଶାଉଥିବା ଅଭିଯୋଗ କରିଥିଲେ।
ତେବେ ବିଜେଡି ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଅଧ୍ୟକ୍ଷା ସୁଜାତା ମୁର୍ମୁ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ କରିବା ଅଭିଯୋଗ କରି ଦୀର୍ଘ ସମୟ ବିଜେପି ସାଂସଦ ଇଂ ବିଶେଶ୍ଵର ଟୁଡୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ , ବାରିପଦା ବିଧାୟକ ପ୍ରକାଶ ସୋରେନକୁ ଅଟକ ରଖିବା ସହ ଅଧ୍ୟକ୍ଷା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଥିଲା । ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ବିକ୍ଷୋଭ ପ୍ରର୍ଦଶନ କରିଛି ଜିଲ୍ଲା ବିଜେପି । ଜିଲ୍ଲା ପ୍ରଶାସନ ଓ ପୋଲିସ ଇଙ୍ଗିତରେ ଏହା ହୋଇଛି ବୋଲି ବିଜେପିର ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଅଭିଯୋଗ କରିଛନ୍ତି। ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରର୍ଦଶନ କରିବା ସହିତ ପୋଲିସ ସେମାନଙ୍କୁ ଗିରଫ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ