ବାରିପଦା: ନାଗରିକତା ସଂଶୋଧନ ବିଲ ୨୦୧୯କୁ ନେଇ ବିଜେପି ପକ୍ଷରୁ ବାରିପଦାରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏଥିରେ ଯୋଗଦେବା ସହ ନାଗରିକତା ସଂଶୋଧନ ବିଲକୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ବାରିପଦା ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଛି । ମୋଦି ସରକାର ନାଗରିକତା ସଂଶୋଧନ ନିୟମ ୨୦୧୯ ସଂସଦରେ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ନାଗରିକ ସଂଶୋଧନ ଅଧିନିୟମ ବିଲ ୨୦୧୯ ପାସ ପରେ ଦେଶସାରା ବିଲ ସଂଶୋଧନ ଦାବିରେ ବିରୋଧର ସ୍ବର ଉଠିଥିଲା । ବିଶେଷ କରି କଂଗ୍ରେସ ଦଳ ଏବଂ କମ୍ୟୁନିଷ୍ଟ ବିରୋଧ କରିବା ସହ ହିଂସାକାଣ୍ଡ ଘଟାଇଥିଲେ। କଂଗ୍ରେସ ଲୋକଙ୍କୁ ଏହା ଏକ ମୁସଲିମ ବିରୋଧୀ ଆଇନ ବୋଲି କହି ମତେଇବା ସହ ହିଂସାକାଣ୍ଡ ଘଟାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ପ୍ରକୃତରେ ଏହା ଏକ ମୁସଲିମ ବିରୋଧୀ ଆଇନ ନୁହେଁ ବୋଲି ବିଜେପି କହିଛି। ଏହା ସହ ସିଏଏ ଉପରେ ଦଳ ପକ୍ଷରୁ ଓଡ଼ିଶା ସମେତ ସାରା ଦେଶରେ ଏକ ମାସ ବ୍ୟାପୀ ଜନସମ୍ପର୍କ ଅଭିଯାନ ଚାଲୁ ରଖିବ ବୋଲି ଜଣାଇ ଦିଆଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ