ରାଇରଙ୍ଗପୁର: ଥାନା ଭିତରେ ଥାନା ଅଧିକାରିଣୀଙ୍କ ଗଳା କାଟିଲେ ଥାନାରେ ଅଟକ ଥିବା ବ୍ୟକ୍ତି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା ଅଧିକାରୀଣୀ । ଏପରି କିଛି ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ପ୍ରକୋଷ୍ଠ ଭିତରେ । ନିଜ ଜୀବନ ରକ୍ଷା କରି ସାହସିକତାର ପରିଚୟ ଦେଇଛନ୍ତି ବିଶୋଇ ଥାନା ମହିଳା ପୋଲିସ ଅଧିକାରିଣୀ ମିନି ଭୋଇ । ଏହାପରେ ପୋଲିସ ଅଟକ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତାକୁ ଗିରଫ କରିଥିବା ସୂଚନା ଦେଇଛି । ସେପଟେ ଥାନା ଅଧିକାରିଣୀ ଜଣକ ଚିକିତ୍ସିତ ହୋଇ ସୁସ୍ଥ ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବଜାର ନିକଟରେ ଥିବା ଏକ ମହାଦେବ ମନ୍ଦିରର ହୁଣ୍ଡି ବାକ୍ସ କାଟି ଚୋରି ହୋଇଥିଲା । ତେବେ କିଛି ଦିନ ପୂର୍ବରୁ ଏହି ଚୋରି ଘଟଣା ଘଟିଥିଲା । ଲିଖିତ ଅଭିଯୋଗ ପାଇବା ପରେ ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ପୋଲିସ । ଅଟକ ବ୍ୟକ୍ତି ଜଣକ ବିଶୋଇ ଅଞ୍ଚଳର ୫୨ ବର୍ଷ ବୟସର ସୁଶାନ୍ତ ଦେଓ ବୋଲି ଜଣାପଡ଼ିଛି ।
ଏହା ବି ପଢନ୍ତୁ- ମଦ ମାଫିଆଙ୍କ ଉପରେ ଚଢ଼ାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ, ୪ ଗିରଫ
ସେ ଶିବ ମନ୍ଦିରରେ ଧୁଆ ପୋଛା କାମ କରୁଥିଲେ । ମନ୍ଦିର ହୁଣ୍ଡି ବାକ୍ସରୁ ଟଙ୍କା ଚୋରି ହୋଇଥିବା ଘଟଣାରେ ସୁଶାନ୍ତର ହାତ ଥିବା ସନ୍ଦେହରେ ସୁଶାନ୍ତକୁ ଥାନାକୁ ଆଣି ପଚରାଉଚରା କରିଥିଲା ପୋଲିସ । ତେବେ ଗତକାଲି ରାତିରେ ବିଶୋଇ ଥାନା ଅଧିକାରୀଣୀ ମିନି ଭୋଇ ନିଜ ଚେୟାରରେ ବସି କିଛି ଲେଖାଲେଖି କରୁଥିବା ବେଳେ ସେଠାରେ ଅଟକ ଥିବା ସୁଶାନ୍ତ ହଠାତ ପକେଟରୁ ଏକ ବ୍ଲେଡ ବାହାର କରି ମିନି ଭୋଇଙ୍କ ମଥାରେ ଧରି ତାଙ୍କ ଗଳା କାଟି ଦେବାକୁ ଉଦ୍ୟମ କରିଥିଲା । ତେବେ ସାହସର ସହିତ ମିନି ଭୋଇ କୌଣସି ମତେ ସୁଶାନ୍ତର କବଳରୁ ଖସି ଯାଇଥିଲେ ।
ହେଲେ ଥାନା ଅଧିକାରିଣୀ ମିନି ଭୋଇଙ୍କ ଗଳା ଓ ହାତର ଆଙ୍ଗୁଳି ଗୋଟିଏ କଟି ଯାଇଥିଲା । ପରେ ତାଙ୍କୁ ବିଶୋଇ ମେଡିକାଲକୁ ଅଣାଯାଇ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏବେ ଥାନା ଅଧିକାରିଣୀ ଜଣକ ସୁସ୍ଥ ଥିବା ଜଣାପଡିଛି । ଏ ନେଇ ଅଟକ ବ୍ୟକ୍ତି ସୁଶାନ୍ତଙ୍କ ନାଁରେ ପୋଲିସକୁ ଆକ୍ରମଣ କରିଥିବା ଏକ ମାମଲା ରୁଜୁ କରି ଗିରଫ କରିଛି ପୋଲିସ ।
ଇଟିଭି ଭାରତ, ରାଇରଙ୍ଗପୁର