ରାଇରଙ୍ଗପୁର: ଦୁର୍ବୃତ୍ତଙ୍କ ଉନ୍ମୁକ୍ତକାଣ୍ଡ । ରାତି ଅଧରେ ରାଜସ୍ବ ନିରୀକ୍ଷକଙ୍କ ଅଫିସ ମଧ୍ୟରେ ପଶି ବାଇକ ପୋଡ଼ିଲେ ଦୁର୍ବୃତ୍ତ (bike fire in Revenue Inspector office) । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଯଶିପୁର ତହସିଲର ଜାମୁକେଶ୍ବର ରାଜସ୍ବ ନିରୀକ୍ଷକଙ୍କ ଅଫିସ ମଧ୍ୟରେ । ଗତରାତିରେ କିଛି ଦୁର୍ବୃତ୍ତ ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ପଶି ୨ଟି ବାଇକ ପୋଡି ଦେଇଥିବା ସୂଚନା ମିଳିଛି ।
ଗତରାତିରେ ରାଜସ୍ବ ନିରୀକ୍ଷକ ଶିବାନୀ ପ୍ରସାଦ ଟୁଡୁ ଅଫିସରେ ଥିବା ଏକ କୋଠରୀରେ ନିଜ ପରିବାର ଲୋକଙ୍କ ସହିତ ଶୋଇଥିଲେ। ହଠାତ ରାତି ପ୍ରାୟ ୨ଟା ସମୟରେ ଘରର ସ୍କାଇଲାଇଟ ଦେଇ ଧୂଆଁ ପଶିଥିଲା ଓ ସେମାନେ ଅଣନିଶ୍ବାସୀ ହୋଇ ପଡିବାରୁ ତୁରନ୍ତ ବାହାରକୁ ବାହାରି ଆସିଥିଲେ। ସେହି ସମୟରେ ରହୁଥିବା ଅଫିସ ଘରକୁ ଲାଗିରହିଥିବା ଏକ ଚାଳିଆରେ ରହିଥିବା ୨ଟି ବାଇକ୍ ନିଆଁଲାଗି ଜଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ପାଣି ଢାଳି ନିଆଁ ଲିଭାଇଥିଲେ ।
ବାଇକର ଲକ ଭାଙ୍ଗି ପେଟ୍ରୋଲ ବାହାର କରି ପାଖରେ ରହିଥିବା ଅନ୍ୟ ଏକ ହୋଣ୍ଡା ଆକ୍ଟିଭାକୁ ମଧ୍ୟ ନିଆଁ ଲଗାଇ ଜାଳି ଦେଇଥିଲେ ଦୁର୍ବୃତ୍ତ । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଅନୁମାନ କରାଯାଉଛି । କାରଣ ବହୁ ସମୟରେ ରାଜସ୍ବ ନିରୀକ୍ଷକମାନେ ବିନା ଚାଲାଣରେ ଚାଲୁଥିବା ବାଲି,ଚିପ୍ସ, ମେଟାଲ ଗାଡିକୁ ଧରି ଜୋରିମାନା କରୁଥିବା ଲକ୍ଷ୍ୟ କରାଯାଇଛି। ତେଣୁ ରାଗରେ ଏପରି କାମ କେହି ଦୁର୍ବୃତ୍ତ କରିଥିବା ସ୍ଥାନୀୟ ସନ୍ଦେହ କରୁଛନ୍ତି। ଏହି ଘଟଣା ସମ୍ପର୍କରେ ରାଜସ୍ବ ନିରୀକ୍ଷକ ଜଶିପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଅନୁସନ୍ଧାନ ଜାରି ରଖିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ