ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଲଘୁଚାପ ଜନିତ ବର୍ଷାରେ କ୍ଷତି ହୋଇଥିବା ଧାନଚାଷ କ୍ଷତିପୂରଣ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ଆଜି(ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତି ହୋଇଥିବା ଧାନ ବିଡା ଓ ଚାଷୀଙ୍କ ସହିତ ଅଣରାଜନୈତକ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଆନ୍ଦୋଳନ କରାଯାଇଛି । କ୍ରମାଗତ ଲଘୁଚାପ ତଥା ଅଦିନିଆ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଚାଷର ବ୍ୟାପକ କ୍ଷତି ହୋଇଛି । ଧାନ, ପନିପରିବା ସହ ଅନ୍ୟାନ୍ୟ ଫସଲ କ୍ଷୟକ୍ଷତିରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି ।
ସେପଟେ ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ ଟିମ କ୍ଷୟକ୍ଷତିର ଆକଳନ କରିସାରିଥିବାବେଳେ ମୟୂରଭଞ୍ଜ ଜିଲ୍ଲାକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା କଳକାରଖାନା ଶୂନ୍ୟ ଥିବାବେଳେ ଏଠାରେ ଅଧିକାଂଶ ଲୋକ ଚାଷ କରି ନିଜର ଜୀବନ ନିର୍ବାହ କରିଥାନ୍ତି । ଏହିପରି ସ୍ଥଳେ ଚାଷୀଙ୍କ କ୍ଷୟକ୍ଷତିକୁ ସଠିକ ଆକଳନ କରି ଆଗାମୀ ପଞ୍ଚାୟତ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରାନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଭଞ୍ଜସେନା ତରଫରୁ ଚେତାବନୀ ଦିଆଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ