ବାରିପଦା: ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ରାସ୍ତା କାମ । ବର୍ଷ ବର୍ଷ ଧରି ରାସ୍ତା କାମ ଚାଲୁଥିଲେ ବି ସରୁନି ନିର୍ମାଣ କାମ । ବିଭିନ୍ନ ସ୍ଥାନରେ ଅଧାରୁ କାମ ବନ୍ଦ କରି ଛାଡି ଦେଇଛି ପୂର୍ତ୍ତ ବିଭାଗ। ମୟୂରଭଞ୍ଜ ଜିଲ୍ଲା ବାରିପଦା-ଅମର୍ଦା ରୋଡ଼ ରାସ୍ତା କାମକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।
ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ମୟୂରଭଞ୍ଜ ଜିଲ୍ଲାରୁ ବାଲେଶ୍ବର ଜିଲ୍ଲାକୁ ସଂଯୋଗ କରୁଥିବା ବାରିପଦା-ଅମର୍ଦାରୋଡ ରାସ୍ତା ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ୬୧ ନମ୍ବର ରାଜ୍ୟ ରାଜପଥରେ ଅନେକ ସ୍ଥାନରେ ଅଧା କାମ କରି ଛାଡି ଦେଇଛି ପୂର୍ତ୍ତ ବିଭାଗ ।
ଅନ୍ୟପକ୍ଷରେ ଶୀର୍ଷପାଳ ଛକଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୀର୍ଘ ଦିନ ହେବ ରାସ୍ତା କାମକୁ ଅଧାରେ ଛାଡି ପଳାଇଥିବା ବେଳେ ଯାହା ବି କାମ ହୋଇଛି ସେସବୁ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାରିପଦା-ଅମର୍ଦାରୋଡ କାମ ୨୦୧୪ ମସିହାରେ ଆରମ୍ଭ ହୋଇଥିଲେ ବି ଜାନୁୟାରୀ ୨୦୨୦ ସୁଦ୍ଧା ବି ସରିପାରୁନି କାମ ।
ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା ପ୍ରାୟ ୪୫ କିଲୋମିଟର ରାସ୍ତାକୁ ଲାଗିଲାଣି ୫ ବର୍ଷରୁ ଉର୍ଦ୍ଧ୍ବ ସମୟ । ତେବେ ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ଲୋକ ନାପସନ୍ଦ କରିଥିବା ବେଳେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଖୁବଶୀଘ୍ର କାମ ସରିବ ବୋଲି କହିଥିବା ବେଳେ କ୍ୟାମେରା ସମ୍ନାନରେ ମୁହଁ ଖୋଲି ନାହାନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ