ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ବଜାର ଅଞ୍ଚଳରୁ ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅଭିଯୋଗ ଆସିଛି । ଘଟଣାରେ ଦଲାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଦଲାଲ ସମେତ ଶିଶୁ ବିକିଥିବା ମହିଳା ଓ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ସେହିପରି ଶିଶୁକୁ ଉଦ୍ଧାର କରି ବାରିପଦା PRM ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ସୂଚନା ମୁତାବକ, ବାଙ୍ଗିରିପୋଷି ଅଞ୍ଚଳର ମହିଳା ମାଳତୀ ଦିଗାରଙ୍କ ସ୍ବାମୀ ପ୍ରଦୀପ ଦିଗାର ବାହାରେ କାମ କରୁଥିବାରୁ ମାଳତୀ ନିଜର ବାପଘର ସାରସକଣା ବ୍ଲକ ଅନ୍ତର୍ଗତ ଦାନାଦର ଗ୍ରାମରେ ରହି ଆସୁଥିଲେ । ମାସେ ତଳେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଗତ ୨୧ ତାରିଖରେ ମହିଳାଜଣକ ନିଜ ଶିଶୁ ସହ ସରସକଣା ଚିକିତ୍ସାଳୟକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ । ତେବେ ସେଠାରେ ସାରସକଣା ଅଞ୍ଚଳର ତପନ ଦଣ୍ଡପାଟ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଏହାପରେ ମହିଳାଙ୍କ ସରଳତାର ସୁଯୋଗ ନେଇ ତପନ ଶିଶୁଟିକୁ ବିକ୍ରି କରିବା ପାଇଁ ରାଇରଙ୍ଗପୁର ଅଞ୍ଚଳର ପ୍ରଫୁଲ୍ଲ ପ୍ରତିହାରୀ ଏବଂ ତାଙ୍କ ସ୍ତ୍ରୀ ଲିଜା ପ୍ରତିହାରୀଙ୍କ ସହ ଯୋଗାଯୋଗ କରିଥିଲା । ପରେ ଯୋଜନା ମୁତାବକ ୨୨ ତାରିଖ ସନ୍ଧ୍ୟାରେ ଶିଶୁଟିକୁ ତପନ ଉକ୍ତ ଦମ୍ପତିଙ୍କୁ ବିକ୍ରି କରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।
ତେବେ ଶିଶୁ ବିକ୍ରି ଘଟଣା ବାବଦରେ ସ୍ଥାନୀୟ ବାସିନ୍ଦା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଦଲାଲ ତପନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତପନକୁ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଗିରଫ କରିଛି । ଏଥିସହ ଶିଶୁର ମା’, କିଣିଥିବା ଦମ୍ପତି ଓ ଦଲାଲକୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ