ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧିନ ବଣମୁଣ୍ଡା ଛକରେ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକରେ ଥିବା ତିନି ଜଣ ଗୁରୁତର ନେଇ ସୂଚନା ମିଳିଛି । ଗୁରୁତର ହୋଇଥିବା ତିନି ଜଣ ହେଲେ ଯାମଦା ଥାନା ଅଧିନ ରୁମାପାହାଡି ଗ୍ରାମର ଠାକୁର କିସ୍କୁ(୫୫), ଦେଓକୁଣ୍ଡି ଗ୍ରାମର ରାମ ଚନ୍ଦ୍ର ଟୁଡୁ(୫୬) ଓ ହରଗଡା ଗ୍ରାମର ଭୀମ ମୁର୍ମୁ(୨୫) ।
ଏକ ହିରୋ ଗ୍ଲାମର ବାଇକ ଯୋଗେ ତିନି ଜଣ କୌଣସି କାମକୁ ନେଇ କରଞ୍ଜିଆ ଆସିଥିଲେ । ତେବେ କରଞ୍ଜିଆରୁ ଯାମଦାକୁ ଯାଉଥିବା ବେଳେ ସଂଧ୍ୟା ୭.୪୫ ସମୟରେ ବଣମୁଣ୍ଡା ଛକ ନିକଟରେ ବିପରୀତ ଦିଗରୁ ଏକ ଅଟୋ ସହିତ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଅଟୋଟି ଦୃତ ଗତିରେ ଯଶିପୁର ଆଡକୁ ପଳେଇ ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ତିନି ଜଣ ବାଇକ ଆରୋହୀ ରାସ୍ତାରେ ପଡିଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ସାଇକେଲ ଆରୋହୀ ଦେଖି ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।
୧୦୮ ଆମ୍ବୁଲାନ୍ସ ଯୋଗେ ତିନି ଜଣଙ୍କୁ ଉଦ୍ଧାର କରି ଯଶିପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ରାଇରଙ୍ଗପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତେବେ ରାଇରଙ୍ଗପୁର ଡାକ୍ତରଖାନାରେ ମଧ୍ୟ ତିନି ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ଯଶିପୁର ପୋଲିସ ବାଇକକୁ ଜବତ କରିବା ସହିତ ଅଟୋକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ