ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରସିଦ୍ଧ ଚୈତ୍ର ପର୍ବ କୋରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ତେବେ ଏହି ପର୍ବରେ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ ପାଇଁ 3 ଦିନ ଅନୁମତି ଦେବା ଲାଗି ଭଞ୍ଜସେନା ପକ୍ଷରୁ ଛଉ କଳାକାରମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ।
ନାଚ, ଗୀତ, ଖେଳ ସହ ରାଜନୈତିକ ସଭାକୁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ମୟୂରଭଞ୍ଜର ପ୍ରସିଦ୍ଧ ଚୈତ୍ର ପର୍ବରେ ବିଶ୍ୱପ୍ରସିଦ୍ଧ ଛଉକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ହେଉଛି । ଏହାର ପ୍ରତିବାଦ କରିଛି ଜିଲ୍ଲାର ଛଉ କଳାକାର ସହିତ ମୟୂରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ସଂଗଠନ ଭଞ୍ଜସେନା । ସଂପୂର୍ଣ୍ଣ କୋରୋନା କଟକଣା ନିୟମ ପାଳନ ସହ ୩ ଦିନ ଧରି ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟକୁ ପାଳନ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରି ସୋମବାର ଛଉ କଳାକାରମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ।
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛଉ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛଉ କଳାକାରମାନଙ୍କ ସହ ଭଞ୍ଜସେନା କର୍ମକର୍ତ୍ତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଛଉ କଳାକାର । ଅନ୍ୟପକ୍ଷରେ ସରକାର ଛଉ ପାଇଁ ଅନୁମତି ପ୍ରଦାନ ନ କଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ