ବାରିପଦା: ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଆଉ ଜଣେ ଓଡିଆ ଯୁବକ । ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ସାତପଉଟିଆ ଗାଁର ପର୍ଶୁରାମ ହାଁସଦା । ସେ ଉତ୍ତାରଖଣ୍ଡରେ ଥିବା ଋଷିଗଙ୍ଗା ପାଓ୍ବାର ପ୍ରୋଜେକ୍ଟରେ କାର୍ଯ୍ୟରତ ଥିଲେ । ହିମସ୍ଖଳନ ପରଠାରୁ ପର୍ଶୁରାମଙ୍କ ସହ କୌଣସି ଯୋଗଯୋଗ ହୋଇପାରିନଥିବା ପରିବାର ଲୋକେ କହିଛନ୍ତି । ଏନେଇ ସେମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜକୁ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ଉତ୍ତରାଖଣ୍ଡ ସ୍ଥିତ ଋଷିଗଙ୍ଗା ପାଓ୍ବାର କର୍ପୋରେଶନରେ ଟେକ୍ନିକାଲ ବିଭାଗରେ କାର୍ଯ୍ୟ କରୁଥିଲେ ପର୍ଶୁରାମ । ଘଟଣା ଦିନ ଅର୍ଥାତ ଗତ 7 ତାରିଖ ସକାଳ 10.16ରେ ପର୍ଶୁରାମ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିବାବେଳେ ପରିବାର ଲୋକେ ତାଙ୍କ ଫୋନ ଉଠାଇ ପାରିନଥିଲେ । ହେଲେ ତା ପରଠାରୁ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ତାଙ୍କ ସହ ଯୋଗଯୋଗ କରିପାରିନଥିଲେ । ଫଳରେ ବଢିଲା ପୁଅର ନିଖୋଜରେ ସେହି ଦିନଠାରୁ ବାପାମାଆଙ୍କ ଆଖିରୁ ଲୁହ ଶୁଖୁନାହିଁ । ପୁଅ ନିଖୋଜ ଥିବା ନେଇ ବାପା ରବିନ୍ଦ୍ର ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଏହାସହ ପୁଅର ଖୋଜ ଖବର ପାଇବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି ।
ସେହିପରି ହିମସ୍ଖଳନରେ ଚାନ୍ଦବାଲି ବ୍ଲକର ଜଣେ ବ୍ୟକ୍ତି ନିଖୋଜ ଥିବା ପୂର୍ବରୁ ଜଣାପଡିଥିଲା । ନିଖୋଜ ବ୍ୟକ୍ତି ଭଦ୍ରକ ଯଶୀପୁର ଗ୍ରାମପଞ୍ଚାୟତ ଅଧିନସ୍ଥ କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ ଏବଂ ସେ ମଧ୍ୟ ଉତ୍ତରାଖଣ୍ଡ ଠାରେ ଥିବା ଋଷିଗଙ୍ଗା ପାଓ୍ବାର ପ୍ରକଳ୍ପରେ ଅଧିନସ୍ଥ ତପୋବନ ରୈନି ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ