ରାଇରଙ୍ଗପୁର: ୨୨ ଟିକିଆ ହାତୀପଲର ଆତଙ୍କ ଥମିବାର ନାଁ ନେଉନଥିବା ବେଳେ କରଞ୍ଜିଆ ବନଖଣ୍ଡରେ ଏକ ହାତୀ ଛୁଆର ଜନ୍ମ ହୋଇଛି।
ଦୀର୍ଘ ଦେଢ଼ ମାସ ହେବାକୁ ବସିଲାଣି ୨୨ ଟିକିଆ ଝାଡଖଣ୍ଡି ହାତୀପଲ କରଞ୍ଜିଆ ବନଖଣ୍ଡରେ ଉପଦ୍ରବ ଜାରି ରଖିଛନ୍ତି । ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ହେଲେ ଜନବସତି ମୁହାଁ ହେଇ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ଏହି ହାତୀ ପଲ । ଦେଢ଼ ମାସ ହେଲାଣି ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଉଡାଇବାରେ ସଫଳ ହୋଇ ପାରିନାହିଁ ।
ତେବେ କରଞ୍ଜିଆ ବନଖଣ୍ଡରେ ରହଣି ଭିତରେ ଗୋଟିଏ ହାତୀ ଛୁଆ ଜନ୍ମ ହୋଇଛି ଏବଂ ସଂଖ୍ୟା ବୃଦ୍ଧି ପାଇ 23 ରେ ପହଁଚିଛି । ତେବେ ନବଜାତକ ହାତୀ ଛୁଆ ପାଇଁ ମା ହାତୀ ଅଧିକ ହିଂସ୍ର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେପଟେ ହାତୀ ଆତଙ୍କରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି ।
ରାଇରଙ୍ଗପୁରରୁ ସଂଞ୍ଜୟ କୁମାର ପରିଡା, ଇଟିଭି ଭାରତ