ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୋଲିସ ନାଁରେ ଅଭିଯୋଗ । ଜଣେ ଯୁବକଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏଭଳି ଘଟଣାକୁ ଦୃଢ଼ ପ୍ରତିବାଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଗହଳାମୁଣ୍ଡା ଗ୍ରାମର ବାବଲୁ ବିନ୍ଧାଣି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା । ତେବେ ଗତ ସେପ୍ଟେମ୍ବର ୨୨ ତାରିଖରେ ପାରିବାରିକ ବିବାଦ ନେଇ ବାବଲୁଙ୍କ ସ୍ତ୍ରୀ ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସ୍ବାମୀ ବାବଲୁ ମାଡ଼ ମାରିଥିବା ନେଇ ଏତଲା ଦେଇଥିଲେ ବାବଲୁଙ୍କ ସ୍ତ୍ରୀ ।
ଅଭିଯୋଗ ପାଇବା ପରେ ଝାରପୋଖରିଆ ଥାନା ପୋଲିସ ଗହଳାମୁଣ୍ଡା ଗାଁକୁ ଯାଇ ବାବଲୁ ବିନ୍ଧାଣିକୁ ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣାର ତଦନ୍ତ ସହ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାରଲୋକେ ।
ଏହାମଧ୍ୟ ପଢନ୍ତୁ.. ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ
ଝାରପୋଖରିଆ ଥାନା ପୋଲିସର ଏପରି ଅମାନବୀୟ ଭାବେ ମାଡ଼ ମାରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଏସପିଙ୍କ ନିକଟରେ ଦାବି କରିଛନ୍ତି ପିଡିତଙ୍କ ପରିବାର ଲୋକେ । ପୀଡ଼ିତ ବାବଲୁର ମାଆ ମିନୁ ବିନ୍ଧାଣି, ବାପା ଜୟରାମ ବିନ୍ଧାଣୀ ଓ ଗାଁ ଲୋକ ମୟୂରଭଞ୍ଜ ଏସପିଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ.. ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପରିବାର
ତେବେ ମୟୂରଭଞ୍ଜ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ପୋଲିସର ମାଡ଼ମରା ଦୃଶ୍ୟ ସାମ୍ନାକୁ ଆସିଛି । ସମାନ ଘଟଣାରେ ମୟୂରଭଞ୍ଜର ରରୁଆଁ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି । ତେବେ ଜମିବାଡ଼ି ମାମଲାକୁ କେନ୍ଦ୍ର କରି ଉତ୍ତରପୋଷି ଗ୍ରାମର ଶରତ ଗିରିଙ୍କ ନାମରେ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ କରିବାକୁ ଯାଇ ଶରତଙ୍କୁ ଗିରଫ କରି ଥାନା ବାହାରେ ଥାନା ଭିତରେ 4 ଜଣ ପୋଲିସ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିଲେ । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । ଶତାଧିକ ଗ୍ରାମଲୋକେ ରରୁଆଁ ଥାନା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ କାର୍ଯାନୁଷ୍ଠାନ ସ୍ୱରୂପ ରରୁଆଁ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ବାରିପଦା ସ୍ଥିତ ସାଇବର ଥାନାକୁ ବଦଳି କରିଥିଲେ ମୟୂରଭଞ୍ଜ ଏସ୍ପି । ତେବେ ମୟୂରଭଞ୍ଜ ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ଇଟିଭି ଭାରତ, ରାଇରଙ୍ଗପୁର