ରାଇରଙ୍ଗପୁର : ଦୀର୍ଘ ୨୭ ବର୍ଷ ଧରି ପରସ୍ପର ବିରୋଧି ଭାବେ ଗୋଟିଏ ଗ୍ରାମର ଲୋକେ ଦୁଇ ଭାଗରେ ବିଭକ୍ତ ହୋଇ ରହିଥିବା ଲୋକେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ପାଳସା ପିଳ୍ ପାରଗାନା ସଂଗଠନ ଓ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ପରିଷଦର ମଧ୍ୟସ୍ଥତାରେ ସମାଧାନ ହେବା ପେର ଉଭୟ ଗୋଷ୍ଠୀ ଏକାଠି ହୋଇଥିବା ଜଣାପଡିଛି ।
ବହଳଦା ବ୍ଲକ ଅସନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲୁଗୋଡା ଗ୍ରାମର ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ୨୭ ବର୍ଷ ପୂର୍ବେ କୌଣସି ଏକ ବିଷୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଗ୍ରାମ ମୁଖ୍ୟ(ମାଝୀ ବାବା) ଏବଂ ଗ୍ରାମ ପୂଜକଙ୍କୁ ବିରୋଧ କରି ଦୁଇ ଗୋଷ୍ଠୀ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଦୁଇ ଗୋଷ୍ଠୀରେ ବିଭକ୍ତ ହେଲାପରେ ଏହି ପୂଜା ପରମ୍ପରା ଉପରେ ବାଧାବିଘ୍ନ ସୃଷ୍ଟି ହୋଇଥିଲା। ପାଖାପାଖି ୧୩୭ ପରିବାର ମଧ୍ୟରୁ ପୂଜକଙ୍କ ସପକ୍ଷରେ ମାତ୍ର ୧୪ ପରିବାର ରହିଥିଲେ। ତେବେ ପରେପରେ ଏହାକୁ ଗ୍ରାମର ହୋ'ମୁଣ୍ଡା ସମ୍ପ୍ରଦାୟର ଲୋକେ ମଧ୍ୟ ସମର୍ଥନ କରି ଉଭୟ ସମ୍ପ୍ରଦାୟର ମିଳିତ ସହଯୋଗରେ ପାରମ୍ପରିକ ପୂଜା ସମ୍ପନ୍ନ ହୋଇ ଆସୁଥିଲା।
ତେବେ ଏହି ୨୭ ବର୍ଷ ମଧ୍ୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ମଧ୍ୟ ଦେଖିବାକୁ ମିଳିଥିଲା ଏପରିକି ବିଭିନ୍ନ ସମୟରେ ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଆପୋଷ ସମାଧାନ କରାଯିବାକୁ ଭାଲୁଗୋଡା ଗ୍ରାମମୁଣ୍ଡର ଏକ ବରଗଛ ମୂଳରେ ଉଭୟ ଗୋଷ୍ଠୀକୁ ନେଇ ବୈଠକ ବସିଥିଲା। ଏହି ବୈଠକରେ ପାଳସା ପିଳ୍ ପାରଗାନା ଓ ଆସେକା ବିବାଦ ସମାଧାନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।ପୂଜକ ଗୋଷ୍ଠୀ ପକ୍ଷରୁ ବିରୋଧି ଗୋଷ୍ଠୀମାନଙ୍କ ଠାରୁ ତଣ୍ଡ ଆଦାୟ ପ୍ରକ୍ରିୟାରେ ମିଶ୍ରଣ କରାଯିବାକୁ ପ୍ରସ୍ତାବ ରଖିଥିଲେ।
ତେବେ ଦୁଇ ଗୋଷ୍ଠୀଙ୍କ ସହମତିରେ ଉଭୟ ପକ୍ଷଙ୍କ ମିଶ୍ରଣ ହୋଇଥିବା ଜଣାପଡିଛି । ଉଭୟ ଗୋଷ୍ଠୀର ମାଝୀବାବା (ଗ୍ରାମ ମୁଖ୍ୟ) ପରସ୍ପରକୁ ଅଭିବାଦନ ଜଣାଇବା ସହିତ ପରସ୍ପକୁ ଆଲିଙ୍ଗନ କରି ଦୀର୍ଘଦିନର ବିବାଦକୁ ସମାପ୍ତ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ