ବାରିପଦା: ରେଳ ବିଭାଗରେ ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜୋଡ଼ା ଅଞ୍ଚଳରେ ଏଭଳି ଏକ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ବାରିପଦା ଟାଉନ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲାର କିଶୋର ଚନ୍ଦ୍ର ବେହେରା ବୋଲି ଜଣାପଡ଼ିିଛି । ଅଭିଯୁକ୍ତ ରେଳ ବିଭାଗର ଅଧିକାରୀ ସହିତ ଗ୍ରୁପ ସି' ଓ ଡି' ବିଭାଗର ସେଲେକ୍ସନ କମିଟିର ସଦସ୍ୟ ରହିଥିଲେ ।
ଠକେଇ ଅଭିଯୋଗ ପରେ ବରିପଦା ଟାଉନ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ୪ ଜଣ ଆବେଦନକାରୀଙ୍କ ଜାଲ୍ ନିଯୁକ୍ତି ପତ୍ର, ମେଡ଼ିକାଲ ପ୍ରମାଣପତ୍ର, ଗୋଟିଏ ଏସବିଆଇ ବ୍ୟାଙ୍କର୍ ଚେକ୍ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ବାରିପଦା ଟାଉନ ଥାନା ଅନ୍ତର୍ଗତ ଯମୁନାଦେଇପୁର ଅଞ୍ଚଳର ସଦାନନ୍ଦ ମହାନ୍ତ କିଶୋର ଚନ୍ଦ୍ର ବେହେରାଙ୍କ ସହିତ ଗତବର୍ଷ ପରିଚିତ ହୋଇଥିଲେ । କିଶୋର ରେଳ ବିଭାଗରେ ଗ୍ରୁପ ସି' ଓ ଡି' ନିଯୁକ୍ତିରେ ଅର୍ଥ ପ୍ରଦାନ କରି ଅନେକ ପ୍ରାର୍ଥୀଙ୍କୁ ଚାକିରୀ ଦେଇଛନ୍ତି ବୋଲି କହିଥିଲେ । ଏହାପରେ ପୁଅର ଚାକିରୀ ପାଇଁ ଟଙ୍କା ମଧ୍ୟ ଦେଇଥିଲେ ।
ପୁଅ ଓ ସମ୍ପର୍କୀୟଙ୍କୁ ଚାକିରୀ କରାଇ ଦେବା ପାଇଁ ମୋଟ ୯ ଲକ୍ଷ ୩୧ ହଜାର ଟଙ୍କା ଠକି ନେଇଥିଲେ କିଶୋର । ଏହାକୁ ନେଇ ଗତ ଅକ୍ଟୋବର ୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ସଦାନନ୍ଦ ମହାନ୍ତ । ଟଙ୍କା ନେଇ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ଚାକିରି କରାଇ ଦେଇନଥିଲେ କିଶୋର ଚନ୍ଦ୍ର ବେହେରା । ତେବେ ଅଭିଯୁକ୍ତ କିଶୋର ଚନ୍ଦ୍ର ବେହେରାଙ୍କ ନାମରେ 4 ବର୍ଷ ପୂର୍ବେ ମଧ୍ୟ ରେଳବାଇରେ ଚାକିରୀ କରାଇ ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ସେହି ସମୟରେ ଭୁବନେଶ୍ୱର କମିଶନରେଟ ଥାନାରେ ମାମଲା ରୁଜୁ କରି ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ