ବାରିପଦା: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏପରି ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ବିଜୟରାମଚନ୍ଦ୍ରପୁର ଅଞ୍ଚଳରେ । ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳ ନିବାସୀ ପ୍ରହ୍ଲାଦ ନାୟକଙ୍କ ଝିଅ କରୀନା ନାୟକ(୨୧) । ସେ ଯୁକ୍ତ ତିନିର ଛାତ୍ରୀ ଅଟନ୍ତି ।
ସୂଚନା ଅନୁଯାୟୀ, ଘରେ କୌଣସି କାରଣ ବଶତଃ ସୋମବାର ଅପରାହ୍ନ ସମୟରେ ଘରେ ଥିବା ସିଲିଂ ଫ୍ୟାନରେ ଶାଢ଼ୀ ସାହାଯ୍ୟରେ ବେକରେ ଫାଶ ଦେଇ ଆତ୍ମହତ୍ୟା କରିଛନ୍ତି କରୀନା । ତେବେ ତାଙ୍କର ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖି ବାରିପଦା ଟାଉନ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ତେବେ କେଉଁ କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଗ୍ରହଣ କଲେ ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ପ୍ରାଥମିକ ତଦନ୍ତରୁ ବିଭିନ୍ନ କ୍ଷେତ୍ରକୁ ନେଇ ସନ୍ଦେହ କରାଯାଉଛି । ଉକ୍ତ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜ୍ଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ