ବାରିପଦା: ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାତିଲେ ଗ୍ରାମବାସୀ । ମୟୂରଭଞ୍ଜ କପ୍ତିପଦା ଥାନା ଅଧିନ ଶାଳଚୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୂର୍ଗାଦେବୀ ସିଂଙ୍କ ମୃତ୍ୟୁ ହୋଇଛି । ସେ ଗତ 25 ତାରିଖରେ ହଷ୍ଟେଲରେ ବିଷ ପିଇ ଗୁରୁତର ହେବା ପରେ ପ୍ରଥମେ ବାରିପଦା ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ 29 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାକୁ ନେଇ ସ୍ଥାନୀୟ ଲୋକେ କପ୍ତିପଦା-ଶରତ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ହଷ୍ଟେଲରେ ଛାତ୍ରୀଙ୍କୁ କୌଣସି ପ୍ରକାର ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଅନ୍ୟପକ୍ଷରେ ଛାତ୍ରୀଙ୍କୁ ବିଷ କେଉଁଠୁ ମିଳିଲା ଓ କାହିଁକି ଛାତ୍ରୀ ଜଣକ ଏପରି କଲେ ତାହାର ବିଧିବଦ୍ଧ ତଦନ୍ତ ଦାବି କରିଥିଲେ ଆନ୍ଦାଳନକାରୀ । ବିଳମ୍ବରେ ପରିବାର ଲୋକଙ୍କୁ ସ୍କୁଲ କର୍ତୃପକ୍ଷ ଖବର ଦେବା ଓ ସଂପୃକ୍ତ ହଷ୍ଟେଲ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।
ତେବେ ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ, ପ୍ରକଳ୍ପ ଅଧିକାରୀ, ସହକାରୀ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପ୍ରଶାସନ ପକ୍ଷରୁ ଛାତ୍ରୀଙ୍କ ପରିବାରକୁ 10 ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି । ଏହି ଘଟଣାରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲ। ।
ମୟୁରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ