ରାଇରଙ୍ଗପୁର: ଭାରତର ପ୍ରଥମ ଅଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ମାଟି ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି ସତ କିନ୍ତୁ ଅତୀତରେ ଦ୍ରୌପଦୀଙ୍କ ଜୀବନରେ ଘଟିଯାଇଛି ଅନେକ କିଛି ଦୁଃଖ ଘଟଣା । ନିଜର ଦୁଇ ସନ୍ତାନ ସହିତ ସ୍ବାମୀଙ୍କୁ ହରାଇଛନ୍ତି ସେ । ଆଜି (ସୋମବାର) ହେଉଛି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ବ୍ଲକ ଅନ୍ତର୍ଗତ ପାହାଡପୁର ଗ୍ରାମରେ ଶ୍ୟାମଚରଣ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି ।
କଣ ଥିଲା ଘଟଣା?
ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁ ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ତିନୋଟି ସନ୍ତାନଙ୍କୁ ନେଇ ସୁରୁଖୁରୁରେ ଚାଲିଥିଲା ସଂସାରର ଗାଡ଼ି । କିନ୍ତୁ ତାଙ୍କ ଜୀବନରେ ଘୋଟି ଯାଇଥିଲା କଳାବାଦଲ । ବଡ଼ପୁଅ ଲକ୍ଷ୍ମଣ ଓ ସାନପୁଅ ସିପୁନ ବାପାମାଆଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ । ଦୁଇ ପୁଅକୁ ହରାଇ ବାପା ଶ୍ୟାମ ଚରଣ ଓ ମାଆ ଦ୍ରୌପଦୀ ଏକ ପ୍ରକାର ଭାଙ୍ଗି ପଡିଥିଲେ। ଶେଷରେ ପୁଅଙ୍କୁ ଝୁରିଝୁରି ଶ୍ୟାମ ଚରଣ ମୁର୍ମୁ ଚିନ୍ତାଗ୍ରସ୍ତ ହୋଇ ୧ ଅଗଷ୍ଟ ୨୦୧୪ରେ ପ୍ରାଣତ୍ୟାଗ କରିଥିଲେ । ସେହି ଦିନଠାରୁ ଅଗଷ୍ଟ ମାସ ୧ ତାରିଖ ଦିନ ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି। ୨୦୧୬ ମସିହାରେ ଶ୍ୟାମଚରଣ, ବଡପୁଅ ଲକ୍ଷ୍ମଣ ଓ ସାନପୁଅ ସିପୁନଙ୍କ ସ୍ମୃତିରେ ପାହାଡପୁରଠାରେ ସ୍ଥିତ ନିଜ ବାସଗୃହକୁ ଦ୍ରୌପଦୀ ରୁପାନ୍ତରିତ କରିଥିଲା । ଆଉ ସ୍କୁଲର ନାମ ଏସ.ଏଲ.ଏସ. ସ୍ମାରକୀ ଆବାସିକ ବିଦ୍ୟାଳୟ ନାମରେ ନାମିତ କରିଥିଲେ । ଦ୍ରୌପଦୀ ମୁର୍ମୁଙ୍କ ସାନ ଝିଅ ଇତିଶ୍ରୀ ମୁର୍ମୁଙ୍କ ତତ୍ବାବଧାନରେ ଏସଏଲଏସ ଟ୍ରଷ୍ଟ ବୋର୍ଡ଼ ଦ୍ବାରା ଏହି ବିଦ୍ୟାଳୟଟି ପରିଚାଳିତ ହୋଇଥାଏ ।
ଆଜି ଏସ.ଏଲ.ଏସ. ସ୍ମାରକୀ ବିଦ୍ୟାଳୟରେ ଶ୍ୟାମଚରଣ ମୁର୍ମୁଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି । ଆଦିବାସୀ ରୀତିନୀତିରେ ପୂଜାର୍ଚ୍ଚନା କରି ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପାହାଡପୁର ଗ୍ରାମବାସୀ ଉପସ୍ଥିତ ରହି ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପ୍ରତିବର୍ଷ ଆଜିର ଦିନରେ ଦ୍ରୌପଦୀ ସ୍ବାମୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇଥାନ୍ତି । ମାତ୍ର ରାଷ୍ଟ୍ରପତି ହେବାପରେ ପ୍ରୋଟକଲ ଯୋଗୁଁ ଚଳିତ ଥର ସେ ଯୋଗ ଦେଇପାରି ନାହାନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ