ବାରିପଦା: ରାଜ୍ୟରେ ଦିନକୁ ଦିନ ସବୁ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି(ବୁଧବାର) ପୁଣି ମୟୂରଭଞ୍ଜ ଜିଲ୍ଲାରୁ ୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ ରେ ପହଞ୍ଚିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ୬ ଜଣ କୋରୋନା ପଜେଟିଭଙ୍କ ମଧ୍ୟରୁ ୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । କରଞ୍ଜିଆ, ବିଶୋଇ , ବିଜାତଳା, ବେତନଟୀ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଡ଼ସାହିରୁ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୩ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକରୁ 2 ଜଣ, ତାମିଲନାଡୁରୁ ଜଣେ ଫେରିଥିବା ଜଣାପଡିଛି । ଅନ୍ୟ 3 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୬ ଜଣଙ୍କୁ ବାଙ୍କୀ ସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ତେବେ ଜିଲ୍ଲାରେ ସ୍ଥାନୀୟ ଅଞ୍ଚଳରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ ଛୁଇଁଛି। ସେଥିମଧ୍ୟରୁ ୪୦ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୧୨୫ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବୋଲି ଜଣାପଡିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ