ରାଇରଙ୍ଗପୁର: ଝରାଡିହି ଗ୍ରାମପଞ୍ଚାୟତରୁ ଛତିଶଗଡ ଓ ମଧ୍ୟପ୍ରଦେଶ ରାଜ୍ୟକୁ ବସରେ ଗଲେ ୫୦ ଜଣ ପ୍ରବାସୀ ଶ୍ରମିକ । ମୟୂରଭଞ୍ଜ ଜିଲ୍ଲା ବହଳଦାରୋଡ (ଝରାଡିହି) ରେଳଷ୍ଟେସନ ଅଞ୍ଚଳରେ ଛତିଶଗଡ, ମଧ୍ୟପ୍ରଦେଶ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଠିକା ଶ୍ରମିକ ଟାଟା-ବାଦାମପାହାଡ ରେଳପଥ ସଂପ୍ରସାରଣ ପାଇଁ କାମ କରିବାକୁ ଆସି ଲକଡାନ୍ରେ ଫସି ରହିଥିଲେ । ତେବେ ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ସର୍ଦ୍ଦାର ଝରାଡିହି ସ୍ଥିତ କସ୍ତୁରବା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଖାପାଖି 2ମାସ ସେମାନଙ୍କ ଖାଦ୍ୟପାନୀୟ ତଥା ରହିବା ବ୍ୟବସ୍ଥା କରିଥିଲେ । ମାର୍ଚ୍ଚ ମାସ ୨୯ ତାରିଖରୁ ପ୍ରବାସୀ ଶ୍ରମିକମାନେ ବ୍ୟବସ୍ଥିତ ଭାବେ ରହି ଆସୁଥିଲାବେଳେ ଗୁରୁବାର ସେମାନଙ୍କୁ ବସ୍ ଯୋଗେ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି ।
ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀଙ୍କୁ ତାଙ୍କର ସହଯୋଗ ଓ ଉତ୍ତମ ବ୍ୟବହାର ପାଇଁ ପ୍ରଶଂସା କରିଥିଲେ ଏବଂ ଏଠାରେ ଦୀର୍ଘ ଦିନ ଧରି ରହିବା ମଧ୍ୟରେ ଖଇବା, ପିଇବା କିମ୍ବା ଅନ୍ୟ କୌଣସି ପ୍ରକାରର ଅସୁବିଧା ହୋଇନଥିବା ପ୍ରକାଶ କରିଥିଲେ । ନିଜ ଜନ୍ମଭୂମିକୁ ଫେରିବାକୁ ବ୍ୟାକୁଳ ହେଉଥିଲେ ମଧ୍ୟ ଧୈର୍ଯ୍ୟଧରି ସରକାରୀ ସହୟତାକୁ ଅପେକ୍ଷା କରି ରହିଥିଲେ । ସେମାନଙ୍କ ରହଣୀ ମଧ୍ୟରେ ଆନନ୍ଦ ସିଂ ନାମକ ଜଣେ ସ୍ଥାନୀୟ ଯୁବକ ପ୍ରବାସୀ ଶ୍ରମିକଙ୍କ ଭଲମନ୍ଦ ପଚାରି ବୁଝିବା ସହ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗରେ ରହିଥିଲେ ଏବଂ କେତେକ ଶ୍ରମିକଙ୍କ ପରିବାରରେ ଉତ୍କଟ ଆର୍ଥିକ ସମସ୍ୟା ରହିଥିବା ଜାଣିବା ପରେ ଆର୍ଥିକ ସହଯୋଗ ମଧ୍ୟ ପ୍ରଦାନ କରିଥିଲେ ।
ଦୀର୍ଘ ଦୀନର ଅପେକ୍ଷା ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଥିବାରୁ ପ୍ରବାସୀ ଶ୍ରମିକଙ୍କ ମୁହଁରେ ଉଲ୍ଲାସ ଦେଖିବାକୁ ମିଳିଥିଲା । ଏଠାରେ ଛତିଶଗଡ ରାଜ୍ୟରୁ ୪୦ଜଣ, ମଧ୍ୟପ୍ରଦେଶରୁ ୦୯ଜଣ ଓ ଝାରଖଣ୍ଡ ବୋକାରୋ ଅଞ୍ଚଳରୁ ଜଣେ ରହିଥିଲେ । ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ସର୍ଦ୍ଦାର, ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି, ଆନନ୍ଦ ସିଂ ପ୍ରମୁଖ ଅନ୍ୟାନ୍ୟ ସହଯୋଗୀଙ୍କ ସହ ଉପସ୍ଥିତ ରହି ପ୍ରବାସୀଙ୍କୁ ବସରେ ପଠାଇଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ