ମୟୂରଭଞ୍ଜ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା । ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି । ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀ ସମ୍ପର୍କରେ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ବୁଧବାର ପ୍ରଥମେ ବାଲେଶ୍ବର ଜିଲ୍ଲାରେ ପ୍ରଚାର ଓ ରୋଡ ସୋ କରିବେ । ଅପରାହ୍ନ ୫ଟାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗାରୁ ରୋଡ ଶୋ ଆରମ୍ଭ କରିବେ । ସେଠାରୁ ମାଣିତ୍ରି , ବଡ଼ସାହି, ଦୁକୁରା, ସାନକେରକ ଦେଇ ବାରିପଦା ପହଞ୍ଚିବେ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାରିପଦା ସହରରେ ରୋଡ଼ ଶୋ' କରିବେ । ରୋଡ଼ ଶୋ' ସାରିବା ପରେ ରାତିରେ ବାରିପଦା ସର୍କିଟ୍ ହାଉସରେ ରାତ୍ରିଯାପନ କରିବେ ।
ଆସନ୍ତା ୨୫ ତାରିଖରେ ୯:୩୫ରୁ ସର୍କିଟ ହାଉସରୁ ବାହାରି ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ପ୍ରସିଦ୍ଧ ଶ୍ରୀ ଶ୍ରୀ ହାରିବଳଦେବ ଜୀଉ ମନ୍ଦିରକୁ ଯାଇ ଜଗନ୍ନାଥ ଦର୍ଶନ କରିବେ । ଦର୍ଶନ ସାରିବା ପରେ ୯:୫୫ରେ ବାରିପଦା ଷ୍ଟାଡିୟମରୁ ହେଲିକେପ୍ଟର ଯୋଗେ ଉଦଳା ନିର୍ବାଚନ ମଣ୍ଡଳୀର କରପଦା ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଏହା ପରେ ମୋରଡା ନିର୍ବାଚନ ମଣ୍ଡଳୀର ପାଟପୁର ଠାରେ ନିର୍ବାଚନୀ ସଭା କରିବା ପରେ ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀର କଳାବାଡ଼ିଆ, ସରସକଣା ନିର୍ବାଚନ ମଣ୍ଡଳୀର ବାଡ୍ରନିଆ ଠାରେ ନିର୍ବାଚନୀ ସଭା ପରେ ବାଡ୍ରନିଆ ରୁ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଗସ୍ତ କରିବେ ।
ସେହିପରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ମହୁଲଡିହାରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଅପରାହ୍ନ ୨ଟା ୧୫ରେ ରାଇରଙ୍ଗପୁରରୁ ବସ ଯୋଗେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ୮ ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ